ଦେଶ ବିଦେଶ

ମୋଦିଙ୍କ ନୂତନ କ୍ୟାବିନେଟକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା

Published

on

ନୂଆଦିଲ୍ଲୀ ୨୪/୫ : ନିର୍ବାଚନ ଫଳାଫଳ ଘୋଷିତ ହୋଇଯିବା ପରେ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦିଙ୍କ ନୂତନ କ୍ୟାବିନେଟକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ପ୍ରକାଶ ପାଇବା ସହ ଏହାକୁ ନେଇ ବିଜେପି ଦଳ ମଧ୍ୟରେ ମଧ୍ୟ ଅଙ୍କକଷା ଆରମ୍ଭ ହୋଇ ଯାଇଛି ।
ଦଳୀୟ ବିଶ୍ୱସ୍ତ ସୂତ୍ରକୁ ଯଦି ବିଶ୍ୱାସକୁ ନିଆଯାଏ, ତେବେ ରେକର୍ଡ ଭୋଟରେ ବିଜୟ ଲାଭ କରିଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଗରୁତ୍ୱପୂର୍ଣ୍ଣ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଦାୟିତ୍ୱ ଦେବାକୁ ଏକ ପ୍ରକାରର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛନ୍ତି । ସେହିପରି ମୋଦିଙ୍କ ପୂର୍ବ କ୍ୟାବିନେଟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିବା ବହୁ ବରିଷ୍ଠ ମନ୍ତ୍ରୀ ଏବେ ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମନ୍ତ୍ରୀ ପଦରେ ରହିବାକୁ ଚାହୁଁ ନଥିବା କାରଣରୁ ମୋଦି ତାଙ୍କ ନୂତନ ମନ୍ତ୍ରିମଣ୍ଡଳ ତଥା କ୍ୟାବିନେଟରେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେବାକୁ ମନସ୍ଥିର କରିଥିବା ଜାଣିବାକୁ ମିଳିଛି ।
ସେହିପରି ମୋଦିଙ୍କ ପୂର୍ବ କ୍ୟାବିନେଟ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ମୋଦି ଏଥର ପ୍ରତିରକ୍ଷା ବିଭାଗର ଦାୟିତ୍ୱ ଦେଇ ପାରନ୍ତି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆଉ ମନ୍ତ୍ରିମଣ୍ଡଳରେ ରହିବାକୁ ଚାହୁଁ ନଥିବାରୁ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣଙ୍କୁ ଏଥର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମିଳିପାରେ । ସୁଷମା ସ୍ୱରାଜଙ୍କ ପରି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବରୁ ଅର୍ଥ ମନ୍ତ୍ରୀ ଥିବା ଅରୁଣ ଜେଟଲୀ ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆଉ ମନ୍ତ୍ରିମଣ୍ଡଳରେ ରହିବାକୁ ଚାହୁଁ ନଥିବାରୁ ପୂର୍ବରୁ ରେଳମନ୍ତ୍ରୀ ଥିବା ପୀୟୁଷ ଗୋୟଲଙ୍କୁ ଏଥର ଅର୍ଥ ମନ୍ତ୍ରାଳୟ ମିଳିପାରେ ।
ପୂର୍ବ ମନ୍ତ୍ରିମଣ୍ଡଳରେ ଆଇନ୍‌ ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦଙ୍କୁ ଏଥର ଅନ୍ୟ କୌଣସି ଏକ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ । ସେହିପରି ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇ ଥିବା ସ୍ମୃତି ଇରାନୀଙ୍କୁ ମଧ୍ୟ ନିଜ କ୍ୟାବିନେଟରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ କରିପାରନ୍ତି ମୋଦି । ସେହିପରି ବିଜେପିରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟର ବରିଷ୍ଠ ମୁକ୍ତାର ଆବାସ୍‌ ନକ୍‌ଭୀ, ପ୍ରକାଶ ଜାଭେଡ଼କର, ସୁନୀଲ ପ୍ରଭୁ, ଜେପି ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମୋଦିଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିିଳିପାରେ ବୋଲି ଚର୍ଚ୍ଚା ଆଲୋଚନା ଚାଲିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version