ଭୁବନେଶ୍ୱର : ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନ ମନ୍ତ୍ରୀ ହେବେ । ଏ କଥା ଆମେ କହୁନାହୁଁ, କହୁଛନ୍ତି କେତେକ ଖ୍ୟାତନାମା ଜ୍ୟୋତିର୍ବିଦ୍ । ଏସୀୟ ଜ୍ୟୋତିର୍ବିଦ ସମ୍ମିଳନୀରେ ଏଭଳି ର୍ପୂବାନୁମାନ କରାଯାଇଛି । ଶ୍ରୀ ମୋଦିଙ୍କ କୁଣ୍ଡଳୀ ଅନୁଧ୍ୟାନ କରି ସମ୍ମିଳନୀରେ ଯୋଗ ଦେଇଥିବା ପ୍ରବୀଣ ଜ୍ୟୋତିଷୀମାନେଏଭଳି ଭବିଷ୍ୟବାଣୀ କରିଛନ୍ତି । ଏଠାରେ ଅନୁଷ୍ଠିତ ଏସୀୟ ଜ୍ୟୋତିଷୀ ସମ୍ମିଳନୀରେ ଦେଶ ବିଦେଶର ୫୦୦ରୁ ଉଦ୍ଧ୍ୱର୍ ଜ୍ୟୋତିଷଶାସ୍ତ୍ରବିତ୍ ଯୋଗ ଦେଇଥିଲେ । ସେଠାରେ ମୋଦିଙ୍କ ଜାତକର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯିବା ପରେ ଜ୍ୟୋତିର୍ବିଦ୍ମାନେ ଏଭଳି ନିଷ୍କର୍ଷରେ ଉପନୀତ ହୋଇଛନ୍ତି । ମୋଦିଙ୍କ ରାଶି ହେଉଛି ବିଛା (ଅନୁରାଧା ବିଛା), ଲଗ୍ନ ୧୭/୮ ଓ ଚନ୍ଦ୍ରରେ ମଙ୍ଗଳ ଅବସ୍ଥାନ କରୁଛି ।
ସମ୍ମିଳନୀର ପ୍ରଥମ ଅଧିବେଶନରେ ମୋଦିଙ୍କ କୁଣ୍ଡଳୀ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ପ୍ରାୟ ୧୫ ଜଣ ଜ୍ୟୋତିର୍ବିଦ୍ ମୋଦିଙ୍କ ଜନ୍ମ କୁଣ୍ଡଳୀରେ ଗ୍ରହଙ୍କ ସ୍ଥିତି ଓ ଚଳନ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିବା ପରେ ଏପରି ସିଦ୍ଧାନ୍ତରେ ପହଂଚିଛନ୍ତି । ଅଧିକାଂଶ ଜ୍ୟୋତିର୍ବିଦ୍ ଗଣନା କରି ଜାଣିପାରିଛନ୍ତି ଯେ, ମୋଦିଙ୍କ ଭାଗ୍ୟ ରେଖାରେ ଗ୍ରହଙ୍କ ଚଳନ ସଠିକ ଦିଗରେ ଆଗଉଛି । ଏହି କାରଣରୁ ସେ ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ସରକାର ଗଠନ କରିବା ସୁନିଶ୍ଚିତ ଜଣାପଡ଼ୁଛି ।
ଏ ସମ୍ପର୍କରେ ମତାମତ ଦେଇ ସମ୍ମିଳନୀର ଆୟୋଜକ ତଥା ବିଶିଷ୍ଟ ଭୃଗୁ ଜ୍ୟୋତିଷଶାସ୍ତ୍ରବିତ୍ ଶ୍ରୀଧର ଆଚାର୍ଯ୍ୟ କହିଛନ୍ତି ଯେ, ମୋଦିଙ୍କ କୁଣ୍ଡଳୀ କହୁଛି ଯେ, ସେ ପୁଣିଥରେ ଦେଶର ପ୍ରଧାନ ମନ୍ତ୍ରୀ ହେବେ । ତେବେ ଅଳ୍ପ କେତେଜଣ ଜ୍ୟୋତିଷଶାସ୍ତ୍ରୀ କହିଛନ୍ତି ଯେ ମୋଦିଙ୍କୁ ଶନି ମହାଦଶା ପଡ଼ିଥିବାରୁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ ।