ଦେଶ ବିଦେଶ

ମୋଦି ସରକାରଙ୍କ ଅନ୍ତରୀଣ ବଜେଟ : ଚାଷୀ ଓ ମଧ୍ୟବିତ୍ତଙ୍କୁ ପ୍ରଲୁବ୍ଧ କରିବାକୁ ଉଦ୍ୟମ

Published

on

ନୂଆଦିଲ୍ଲୀ ୧/୨ : କେନ୍ଦ୍ର ସରକାର ଆଜି ଲୋକସଭାରେ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟବର୍ତ୍ତିକାଳୀନ ବଜେଟ ଆଗତ କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ଭୋଟ ବ୍ୟାଙ୍କ କୁହାଯାଉଥିବା ଚାଷୀ, ଶ୍ରମିକ ଓ ମଧ୍ୟବିତ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ବଜେଟରେ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି । ବଜେଟର ମୋଟ ପରିମାଣ ହେଉଛି ୨୭ ଲକ୍ଷ ୮୪ ହଜାର ୨୦୦ କୋଟି । ଆଜି ବଜେଟ ଉପସ୍ଥାପନ କରି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଯେ, ଏହା ଭାରତ ବିକାଶ ଯାତ୍ରାର ବଜେଟ । ଏହା ନୂଆ ଭାରତ ନିର୍ମାଣର ଏକ ଅଙ୍ଗୀକାର ।
କୃଷକଙ୍କ ଉତଥାନ ପାଇଁ ଏହି ବଜେଟରେ ପ୍ରଧାମନ୍ତ୍ରୀ କିଷାନ (କୃଷକ ସମ୍ମାନ ନିଧି)ଯୋଜନା ଘୋଷଣା କରାଯାଇଛି ।ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି ଯେ, କୃଷକଙ୍କ ପାଇଁ ସର୍ବନିମ୍ନ ଆୟ ବ୍ୟବସ୍ଥା କରାଯିବ । ଏହି ଯୋଜନା ଅନୁଯାୟୀ ୨ ହେକ୍ଟର ବା ତହିଁରୁ କମ ଜମି ଥିବା ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ । ଏହା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯିବ । ଏହି ଯୋଜନାରେ ଦେଶର ୧୨ କୋଟି ଚାଷୀ ଉପକୃତ ହୋଇପାରିବେ । ଏ ବାବଦରେ ପ୍ରାୟ ୭୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ବଜେଟରେ ଶ୍ରମଯୋଗୀ ମାନଧନ ଯୋଜନା ଘୋଷଣା କରାଯାଇଛି । ଏହି ଯୋଜନାରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମାସିକ ୩ ହଜାର ଟଙ୍କା ପେନସନ ପାଇବେ । ଏହାଦ୍ୱାରା ଦେଶର ୧୦ କୋଟି ଶ୍ରମିକ ଉପକୃତ ହୋଇପାରିବେ ।
କେନ୍ଦ୍ର ସରକାର ଦେଶବାସୀଙ୍କ ପାଇଁ ଏହି ବଜେଟରେ ଏକ ବଡ଼ ଧରଣର ଟିକସ ରିହାତି ଦେଇଛନ୍ତି । ଆୟକର ସୀମାକୁ ବାର୍ଷିକ ୨ ଲକ୍ଷ ୫୦ ହଜାରରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଛଡ଼ା ପ୍ରୋଭିଡେଣ୍ଟ ଫଣ୍ଡ ଓ ବୀମା କମ୍ପାନୀରେ ଅର୍ଥ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସୀମା ୬ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି ।
ପ୍ରତିରକ୍ଷା ବିଭାଗ ପାଇଁ କେନ୍ଦ୍ର ସରକାର ୩ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି । ବଜେଟରେ ପଶୁପାଳନ ଓ ମତ୍ସ୍ୟ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଇଛି । ଏହି ଚାଷୀମାନଙ୍କୁ ମାତ୍ର ୨ ପ୍ରତିଶତ ସୁଧରେ ଋଣ ପ୍ରଦାନ କରାଯିବ । ଗୋ’ ପାଳକଙ୍କ ପାଇଁ କାମଧେନୁ ଯୋଜନା ଘୋଷଣା କରାଯାଇଛି । ଏହାର ବ୍ୟୟ ଅଟକଳ ରହିଛି ୭୫୦ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *

Trending

Exit mobile version