ନୂଆଦିଲ୍ଲୀ: ମୋଦି ସରକାରରେ ଅଣ-ବିଜେପି ମନ୍ତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ କେନ୍ଦ୍ରର ଏନଡିଏ ସରକାରରେ ମାତ୍ର ଜଣେ ଅଣ-ବିଜେପି ମନ୍ତ୍ରୀ ଅଛନ୍ତି।
ଗତ ୨୦୧୯ରେ ନିର୍ବାଚନ ଜିତି ସରକାର ଗଠନ ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ଚାରି ଜଣ ଅଣ-ବିଜେପି ମନ୍ତ୍ରୀ ଥିଲେ। ବିଜେପିର ବହୁବର୍ଷର ସହଯୋଗୀ ଦଳ ଶିବସେନାର ଅରବିନ୍ଦ ସାୱନ୍ତ ପ୍ରଥମେ ଇସ୍ତଫା ଦେଇଥିଲେ। ଏହାପରେ ବିଜେପିର ସର୍ବପୂରାତନ ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳର ହରସିମ୍ରତ କୌର ଇସ୍ତଫା ଦେଇଥିଲେ। ବର୍ତମାନ ଲୋକ ଜନଶକ୍ତି ପାର୍ଟିର ରାମ ବିଳାଶ ପାଶ୍ବାନଙ୍କ ନିଧନ ପରେ ମୋଦି ସରକାରରେ ଏବେ ଆଉ ଜଣେ ମାତ୍ର ଅଣ-ବିଜେପି ମନ୍ତ୍ରୀ ରହିଲେ।
କେନ୍ଦ୍ର ସାମାଜିକ ନ୍ୟାୟ ବିଭାଗ ମନ୍ତ୍ରୀ ରାମ ଦଶ ଅଟବାଲ ବର୍ତ୍ତମାନ ଏକମାତ୍ର ଅଣ-ବିଜେପି ମନ୍ତ୍ରୀ ଅଛନ୍ତି।
ଗତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ସରକାର ଗଠନ ନେଇ ମତଭେଦ ଯୋଗୁଁ ଶିବସେନା ଏନଡିଏରୁ ଓହରି ଯାଇଥିଲା। ନିକଟରେ ବିବାଦୀୟ କୃଷି ଆଇନକୁ ନେଇ ଶିରୋମଣି ଅକାଳୀ ଦଳ ବିଜେପି ସହ ସଂପର୍କ ତୁଟେଇ ଦେଇଥିଲା। ବିହାର ବିଧାନସଭା ନିର୍ବାଚନକୁ ନେଇ ଏଲଜେପି ଏନଡିଏ ସହ ସମ୍ପର୍କ ତୁଟେଇବାକୁ ଯାଉଥିବାବେଳେ ଦଳର ମୁଖ୍ୟ ରାମ ବିଳାଶ ପାଶ୍ବାନଙ୍କ ମୃତ୍ୟୁ ଘଟିଥିଲା।
ଏନଡିଏ ରେ ବର୍ତ୍ତମାନ ବିଜେପିକୁ ଛାଡିଦେଲେ ଛୋଟବଡ଼ ଏହିଭଳି ୨୬ଟି ସହଯୋଗୀ ଦଳ ସାମିଲ ଅଛନ୍ତି । ଲୋକସଭାରେ ଏନଡିଏ ର ୩୩୬ ସଭ୍ୟ ଥିବାବେଳେ କେବଳ ବିଜେପିର ୩୦୩ ସଭ୍ୟ ଅଛନ୍ତି।