ଦେଶ ବିଦେଶ

ମୋଦୀଙ୍କ ଚାଲ : ସାଧାରଣ ବର୍ଗଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ

Published

on

ନୂଆଦିଲ୍ଲୀ ୭/୧ : ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନ ବୈତରଣୀ କିଭଳି ସହଜରେ ପାରି ହେଇହେବ ସେଥିପାଇଁ ମୋଦୀ ସରକାର ଏକ ଚାଲ ଖେଳିଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ସାଧାରଣବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ନିଷ୍ପତ୍ତିରୁ ଏହାର ଆଭାସ ମିଳୁଛି । ଏହା ପଛରେ ସରକାରଙ୍କ କୋ÷ଣସି ମହତ ଉଦ୍ଦେଶ୍ୟ ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି ।
ସାଧାରଣ ବର୍ଗ ମଧ୍ୟରେ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଏହି ପ୍ରସ୍ତାବରେ ଯେଉଁ ଆୟ ସୀମା ରଖାଯାଇଛି ତାହା ଆଦୋ÷ ସେହି ବର୍ଗ ପାଇଁ ଉଦ୍ଦିଷ୍ଟ ନୁହେଁ । ସେହି ସୀମା ମଧ୍ୟରେ ଆସୁଥିବା ପରିବାର ଯେ ସ୍ୱଚ୍ଛଳ ବର୍ଗର ତାହା ଯେ କେହି ହେଲେ ମଧ୍ୟ ନିଃସନ୍ଦେହରେ କହିଦେଇ ପାରିବ । କାରଣ ଦୁର୍ବଳ ଶ୍ରେଣୀର ଆୟ ସୀମା ବାର୍ଷିକ ୮ ଲକ୍ଷ ରଖାଯାଇଛି । ସମ୍ପତ୍ତି ପରିମାଣ ମଧ୍ୟ ରହିଛି ୫ ଏକର । ସାଧାରଣ ଭାବେ ବାଷିର୍କ ୧ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ପରିବାରକୁ ଆମେ ଆର୍ଥିକ ଦୁର୍ବଳ ଶ୍ରେଣୀ ପର୍ଯ୍ୟାୟଭୁକ୍ତ କରୁଥିବାବେଳେ ବାର୍ଷିକ ୮ ଲକ୍ଷ ବା ତହିଁରୁ କିଛି କମ ରୋଜଗାର କରୁଥିବା ପରିବାରକୁ କିଭଳି ଆର୍ଥିକ ଦୁର୍ବଳ ଶ୍ରେଣୀର କୁହାଯାଇପାରିବ ସେଥିନେଇ ପ୍ରଶ୍ନ ଉଠିବା ସ୍ୱଭାବିକ । ଏହାଛଡ଼ା ଏହି ଆୟ ସୀମା ଭିତରେ ଆସୁଥିବା ଯେଉଁ ବ୍ୟକ୍ତିମାନେ ନିଯୁକ୍ତି ପାଇଁ ଆବେଦନ କରିବେ ସେମାନଙ୍କ ସଂଖ୍ୟା ସାଧାରଣ ବର୍ଗର ସଂଖ୍ୟାଠାରୁ ମାତ୍ର ଅଳ୍ପ କିଛି କମିବା ସ୍ୱାଭାବିକ । ଏଣୁ ଏଭଳି ଏକ ସଂରକ୍ଷଣ ନୀତି ଦୁର୍ବଳ ଶ୍ରେଣୀ ପାଇଁ କେତେ ସହାୟକ ହେବ ତାହା ସହଜରେ ଅନୁମେୟ ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ସରକାର ସାମାଜିକ ତାରତମ୍ୟ ହ୍ରାସ ଓ ସାଧାରଣ ବର୍ଗ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଏହି ପ୍ରସ୍ତାବ ଆଣିନାହାନ୍ତି, ନିର୍ବାଚନ ହିଁ ଏହି ପ୍ରସ୍ତାବ ପଛର ଅସଲ ଉଦ୍ଦେଶ୍ୟ ବୋଲି ସମସ୍ତେ ଅନୁଭବ କରିବା ସ୍ୱାଭାବିକ । ସରକାରଙ୍କ ଏହି ଚାଲକୁ ଭୋଟରମାନେ କିଭଳି ଗ୍ରହଣ କରୁଛନ୍ତି ତାହା ଆଗାମୀ ନିର୍ବାଚନରେ ଜଣାପଡ଼ିବ । ଆଜିର କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ନୂତନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ଥିବାରୁ ସଂସଦରେ ଆନୁଷଙ୍ଗିକ ବିଲ ଆଗତ କରାଯିବ ବୋଲି କ୍ୟାବିନେଟ ବୈଠକ ପରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ ଆୟ କରୁଥିବା ଏବଂ ୫ ଏକରରୁ କମ ସମ୍ପତ୍ତି ଥିବା ବ୍ୟକ୍ତିମାନଙ୍କୁ ସଂରକ୍ଷଣ ସୁବିଧା ମିଳିବ । ସାମ୍ପ୍ରତିକ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବାଦ ଅତିରିକ୍ତ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version