ନୂଆଦିଲ୍ଲୀ ୧୬/୧୨ : ମୋଦୀ ସରକାର ଦେଶର ଗଣମାଧ୍ୟମକୁ କବଳିତ କରିବାକୁ ଉଦ୍ୟମ କରୁଛନ୍ତି କି ? ଏହି ପ୍ରଶ୍ନ ଆଜି ଉଙ୍କି ମାରିଛି ଦେଶବାସୀଙ୍କ ମନରେ । ବିଶେଷ କରି ଦେଶର ସାମ୍ବାଦିକ ଏବଂ ଗଣମାଧ୍ୟମ ସଂସ୍ଥା ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଆନ୍ଦୋଳିତ କରିଛି ଏହି ପ୍ରଶ୍ନ । କେନ୍ଦ୍ରର ମୋଦୀ ସରକାର ଗତ ୪ ବର୍ଷରେ ବିଜ୍ଞାପନ ବାବଦରେ ପାଂଚ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏହି ତଥ୍ୟ ଖୋଦ୍ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂ ରାଠୋର ପ୍ରକାଶ କରିଛନ୍ତି । ୨୦୧୪ ମସିହାରେ ମୋଦି ସରକାର କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ଏହି ବିଜ୍ଞାପନ ବାବଦ ଖର୍ଚ୍ଚ ବଢ଼ିବାରେ ଲାଗିଛି । ୨୦୧୪-୧୫ରେ ଏହା ୯୭୯ କୋଟି ଟଙ୍କା ଥିବାବେଳେ ୨୦୧୭-୧୮ରେ ଏହା ୧୩୧୩ କୋଟି ଟଙ୍କାରେ ପହଂଚିଛି ।
ମୋଦି ସରକାର ଟେଲିଭିଜନ ଚ୍ୟାନେଲରେ ପ୍ରଚାର ବାବଦରେ ସର୍ବାଧିକ ୨ ହଜାର ୩୧୨ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ସମ୍ବାଦପତ୍ରରେ ବିଜ୍ଞାପନ ବାବଦରେ ୨ ହଜାର ୨୮୨ କୋଟି ଖର୍ଚ୍ଚ କରିଛନ୍ତି ।
ଅତୀତରେ ଦେଶର କୋ÷ଣସି ସରକାର ଅମଳରେ ପ୍ରଚାର ଓ ପ୍ରସାର ବାବଦରେ ଏତେ ଅର୍ଥ ସରକାରୀ ତହବିଲରୁ ଖର୍ଚ୍ଚ ହେବାର ନଜିର ନାହିଁ । ମୋଦି ସରକାରର ଏହି ଅହେତୁକ ଖର୍ଚ୍ଚ ପଛରେ ଗଣମାଧ୍ୟମକୁ କବଳିତ କରିବାର ଏକ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି ।
ବିଜ୍ଞାପନ ଅର୍ଥରେ ମୋଦୀ ଗଣମାଧ୍ୟମକୁ ପ୍ରଲୋଭିତ କରିବା ସଙ୍ଗେସଙ୍ଗେ ବିଜ୍ଞାପନ ବନ୍ଦ କରିଦେବାର ଭୟ ମଧ୍ୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବୋଲି ବିରୋଧୀମାନେ ମତପୋଷଣ କରିଛନ୍ତି ।
ଗଣମାଧ୍ୟମକୁ ପ୍ରଭାବିତ କରି ମୋଦୀ ସରକାର ନିଜ ସପକ୍ଷରେ ପ୍ରଚାର କେବଳ ନୁହେଁ ସରକାର ବିରୋଧୀ ଖବରକୁ ବି ଚାପି ଦେବାର ଉଦ୍ୟମ କରିବାର ଦେଖାଯାଉଛି । ମୋଦୀ ସରକାର ବିଜ୍ଞାପନର ପ୍ରାଚୁର୍ଯ୍ୟରେ ଗଣମାଧ୍ୟମର ମଙ୍ଗ ଧରି ବିରୋଧୀ ଦଳର କଣ୍ଠରୋଧ ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ନେତାମାନେ ମତ ଦେଇଛନ୍ତି ।