ରାଜ୍ୟ

ରଘୁରାଜପୁର ପଟ୍ଟଚିତ୍ର କଳାକାର ପରିବାରକୁ ମୁଖ୍ୟମନ୍ତ୍ରୀ ମାନରାଶି

Published

on

ଭୁବନେଶ୍ୱର: ପୁରୀ ଜିଲ୍ଲାର ରଘୁରାଜପୁର । ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି । କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର। କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ।
ଗତ ଜୁନ ୮ ତାରିଖରୁ ଜୁନ୍ ୧୬ ପର୍ଯ୍ୟନ୍ତ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ସତ୍ପରଙ୍ଗ । ଗାଁର ସବୁ ପରିବାର, ୧୫୦ ପରିବାର ଏଥିରେ ଭାଗ ନେଇଥିଲେ। ପ୍ରତ୍ୟେକ ସେମାନଙ୍କ ଘରର ବାହାର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଏହି ପାରମ୍ପରିକ ପଟ୍ଟଚିତ୍ର ଅଙ୍କନ କରିଥିଲେ । ଏଥିପାଇଁ ସେମାନଙ୍କ କଳାକୃତୀକୁ ସ୍ବୀକୃତି ସ୍ବରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ। ଏହି ଗାଁର ଶିଳ୍ପୀଙ୍କ ତୂଳୀରେ ରୂପ ନେଉଥିବା ପଟ୍ଟଚିତ୍ର ଆଜି ଓଡିଶା ପାଇଁ ଅନେକ ସୁନାମ ଓ ପ୍ରତିଷ୍ଠା ଆଣିଛି । ମହାନ୍ ଓଡିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କର ଜନ୍ମଭୂମି ମଧ୍ୟ ରଘୁରାଜପୁର । କିଛି ବର୍ଷ ପୂର୍ବେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନ ଥାଇ ପୁରୀ ଯିବା ବାଟରେ ରଘୁରାଜପୁର ପରିଦର୍ଶନ କରିଥିବା ବିଷୟ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଚାଲି ଚାଲି ପୁରା ଗାଁ ବୁଲି ଦେଖିଥିଲେ । ପ୍ରତି ଘର ଦାଣ୍ଡ କାନ୍ଥରେ ଅଙ୍କିତ ଚିତ୍ର ତାଙ୍କୁ ମୁଗ୍ଧ କରିଦେଇଥିଲା । ସାରା ଗାଁଟି ତାଙ୍କୁ ଏକ ଆର୍ଟ ଗ୍ୟାଲେରୀ (Art Gallery) ପରି ଲାଗିଥିଲା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ । ତା ପରେ ପରେ ଗାଁ ଲୋକ ଯେପରି ଗାଁ ମଣ୍ଡପରେ ସଙ୍ଗେ ସଙ୍ଗେ ଗୋଟିପୁଅ ନାଚର ଆୟୋଜନ କରିଥିଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ ଏବଂ ରଘୁରାଜପୁର ବାସିନ୍ଦା ମାନଙ୍କର ସେ ଦିନର ସେହି ଆଦର ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଛି ଏବଂ ଏହାକୁ ସେ କେବେ ଭୁଲିପାରିବେ ନାହିଁ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରେ ଓଡିଶାର କଳା ହିଁ ତାର ଅନ୍ୟତମ ପରିଚୟ । ଏହାର ସୁରକ୍ଷା ଓ ବିକାଶ ପାଇଁ ସରକାର ସବୁବେଳେ କାମ କରୁଛନ୍ତି ଓ କାମ କରିଚାଲିବେ । ରଘୁରାଜପୁରରେ ଆୟୋଜିତ ଏହି ସପ୍ତରଙ୍ଗ ଭିତ୍ତିଚିତ୍ର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଡ଼କୁମେଣ୍ଟଏସନ (documentation) କରାଯାଇଥିବା ଜାଣି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ୟୁ ଟ୍ୟୁବ (You tube) ଜରିଆରେ ସାରା ବିଶ୍ବରେ ଆମ କଳାର ପ୍ରସାର ଦିଗରେ ସହାୟକ ହେବା ସଂଗେ ସଂଗେ ଭବିଷ୍ୟତରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ଜୁମ(Zoom) ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ, ଓଡିଶା ଲଳିତକଳା ଏକାଡେମୀର ସଭାପତି ଡଃ ସୁଦର୍ଶନ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶକ ରଂଜନ ଦାସ, ପୁରୀ ଜିଲ୍ଲାପାଳ ଏବଂ ରଘୁରାଜପୁର ଗ୍ରାମ୍ୟ କମିଟିର ସଭାପତି ଲିଙ୍ଗରାଜ ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version