ପୁରୀ ୩୦/୧୧ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍ ରଘୁବୀର ଦାସ କମିଶନ ଶୁକ୍ରବାର ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । କମିଶନଙ୍କ ସଚିବ ଗୃହ ବିଭାଗର ଉପ-ସଚିବଙ୍କୁ ଏହି ରିପୋର୍ଟ ହସ୍ତାନ୍ତର କରିଛନ୍ତି । ୩୨୪ ପୃଷ୍ଠା ସମ୍ବଳିତ ଉକ୍ତ ରିପୋର୍ଟରେ ୫ଟି ସତ୍ୟପାଠ ଓ ୨ଟି ସାକ୍ଷ୍ୟ ବିବରଣୀ ସ୍ଥାନ ପାଇଛି । କମିଶନଙ୍କ ନିକଟରେ ଚାବି ହଜିବା ଘଟଣା ନେଇ ମୋଟ୍ ୧୦ଟି ସତ୍ୟପାଠ ଦାଖଲ କରାଯାଇଥିଲା ।
ପ୍ରଥମେ ରତ୍ନଭଣ୍ଡାର ଚାବି ନ ମିଳିବା ଓ ପରେ ଜିଲ୍ଲା ରେକର୍ଡ ରୁମ୍ ଲକରରୁ ଡୁପ୍ଲିକେଟ୍ ଚାବି ମିଳିବା ଘଟଣାକୁ ନେଇ ବଡ ଧରଣର ବିବାଦ ସୃଷ୍ଟି ହୋଇଥିଲା । ଏହି ପରିପ୍ରେକ୍ଷୀରେ ଗତ ଜୁନ୍ ୧୩ ତାରିଖରେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କୁ ଦେଇଥିଲେ ।