ରାଜ୍ୟ

ରଥଯାତ୍ରାରେ ସେବକଙ୍କ ପାଉଣା ଛୁଇଁବ ୧୦ କୋଟି

Published

on

ପୁରୀ ୧୯/୪ : ୨୦୧୭ ରଥଯାତ୍ରା ତୁଳନାରେ ଏ ବର୍ଷ ରଥଯାତ୍ରାରେ ସେବକଙ୍କ ପ୍ରାପ୍ୟ ଦୁଇ ଗୁଣା ବଢ଼ିବ ବୋଲି ଆକଳନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏହି ଆକଳନକୁ ଅନୁମୋଦନ ମଧ୍ୟ ଦେଇଛି। ସେବକମାନେ କେଉଁ ବାବଦରେ କେତେ ପ୍ରାପ୍ୟ ନେଉଛନ୍ତି ତାହା ବି ସ୍ପଷ୍ଟ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୭ ଚନ୍ଦନ ଯାତ୍ରା ଓ ରଥଯାତ୍ରାରେ ସେବକଙ୍କ ପ୍ରାପ୍ୟ ଥିଲା ୫ କୋଟି ୬୪ ଲକ୍ଷ ୯୪ ହଜାର ୯୯୧ ଟଙ୍କା। ସେହି ବର୍ଷ ପରିଚାଳନା, ରଥ ନିର୍ମାଣ ମଜୁରୀ ଓ ଅନ୍ୟାନ୍ୟ ଖର୍ଚ୍ଚ ଥିଲା ମାତ୍ର ୧ କୋଟି ୪୨ ଲକ୍ଷ ୬୫ ହଜାର ୮୪୦ ଟଙ୍କା। ରଥଯାତ୍ରାର ପରିଚାଳନା ଖର୍ଚ୍ଚ ଅପେକ୍ଷା ପାଉଣା ତିନି ଗୁଣରୁ ଅଧିକ ରହିଥିବା ଜଣାପଡ଼ିଛି।
ରଥ ଉପରକୁ ଭକ୍ତଙ୍କ ଚଢ଼ିବା ଉପରେ କଟକଣା ଥିବାରୁ ଏ ବାବଦରେ ଦଇତାମାନଙ୍କୁ କ୍ଷତିପୂରଣ ଦେଉଛି ମନ୍ଦିର ପ୍ରଶାସନ। ଭକ୍ତଙ୍କ ରଥଚଢ଼ା ବନ୍ଦ ଥିବା କାରଣରୁ ଦଇତାମାନଙ୍କୁ କ୍ଷତିପୂରଣ ବାବଦରେ ୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କା ଦିଆଯାଇଥିବା ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି। ଏ ନେଇ ଗତ ବଜେଟରେ ପରିଚାଳନା କମିଟି ୧ କୋଟି ୪୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଆକଳନ କରିଥିଲା। ମାତ୍ର ଧାର‌୍ୟ୍ୟ ଆକଳନଠାରୁ ଏହା ଅଧିକ ୧ କୋଟି ୫୮ ଲକ୍ଷ ୪୦ ହଜାର ବଢ଼ିଗଲା। ଏହାକୁ ବାଦ୍ ଦେଲେ ଗତବର୍ଷ ରଥଯାତ୍ରା ପାଉଣା ବାବଦକୁ ସେବକମାନେ ମୋଟ ୮ କୋଟି ୮୦ ଲକ୍ଷ ୨୭ ହଜାର ୬୯୯ ଟଙ୍କା ପାଇଥିବା ରେକର୍ଡ କହୁଛି। ତେବେ ଗତବର୍ଷ ରଥ ନିର୍ମାଣ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧ କୋଟି ୭୩ ଲକ୍ଷ, ୭୮ ହଜାର ୧୪୫ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛି ମନ୍ଦିର ପ୍ରଶାସନ।
ଚଳିତ ବର୍ଷ ରଥଯାତ୍ରାରେ ସେବକ ପାଉଣା ବାବଦକୁ ୯ କୋଟି ୮୬ ଲକ୍ଷ ୨୪ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ସେଥିରୁ ରଥଚଢ଼ା ବନ୍ଦ ବାବଦକୁ ଦଇତାଙ୍କ କ୍ଷତିପୂରଣ ୧ କୋଟି ୭୪ ଲକ୍ଷ ୨୪ ହଜାର ଟଙ୍କା ଆକଳନ କରାଯାଇଥିବା ବେଳେ ପରିମାଣିକ ଦର୍ଶନ ବାବଦ କ୍ଷତି ପାଇଁ ୨୪ ଲକ୍ଷ ଟଙ୍କା, ରଥଯାତ୍ରା ପାଇଁ ସ୍ବତନ୍ତ୍ର ପୁରସ୍କାର ବାବଦରେ ୨ କୋଟି ୪୨ ଲକ୍ଷ ଟଙ୍କା ଏବଂ ସେବକ ପ୍ରାପ୍ୟ ବାବଦରେ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଧାର‌୍ୟ୍ୟ ହୋଇଛି। ଏ ବର୍ଷ ରଥ ନିର୍ମାଣ ପାଇଁ ମଜୁରି ଓ ଅନ୍ୟାନ୍ୟ ଶ୍ରମିକ ପାଉଣା ବାବଦରେ ୬୦ ଲକ୍ଷ ସମେତ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ମୋଟ ୧ କୋଟି ୮୬ ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version