Nation

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଘେଲୋଟ ମାରିଲେ କୀସ୍ତି

Published

on

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଘେଲୋଟ ରାଜନୀତିର ଦାଓ ପେଞ୍ଚରେ ବେଶ ସିଦ୍ଧହସ୍ତ। ନିକଟରେ ସଚିନ ପାଇଲଟଙ୍କୁ ପଟକାଇ ସେ ତାଙ୍କର ଦକ୍ଷତା ଦେଖାଇ ଥିଲେ।

ଏବେ କଂଗ୍ରେସ ଦଳର ସିଡବ୍ଲୁସି ବୈଠକରେ ସେ ତାଙ୍କର ରାଜନୈତିକ ଚତୁରୀ ଦେଖାଇଛନ୍ତି । ଯେ କୌଣସି ଦଳୀୟ ବୈଠକରେ ଗାନ୍ଧୀ ପରିବାରକୁ ସୁରକ୍ଷା ଦେବା ପାଇଁ ଘେଲୋଟଙ୍କୁ ବ୍ୟବହାର କରିବାର ଅନେକ ନଜୀର ଅଛି। ତେବେ ଶୁକ୍ରବାର ଅନୁଷ୍ଠିତ ସିଡବ୍ଲୁସି ବୈଠକରେ ଘେଲୋଟଙ୍କ ଆଚରଣ ଓ ଉଚ୍ଚାରଣ ସମସ୍ତଙ୍କୁ ବିସ୍ମିତ କରିଥିଲା।

ବୈଠକରେ ଘେଲୋଟ ତାଙ୍କର ପୁରାତନ ଦଳୀୟ ବନ୍ଧୁଙ୍କୁ ତୀବ୍ର ସମାଲୋଚନା କରିବା ସମସ୍ତଙ୍କୁ ଚକିତ କରିଥିଲା। ଦଳରେ ଗାନ୍ଧୀ ପରିବାର ବିରୁଦ୍ଧରେ ଚିଠି ଲେଖି ସ୍ୱର ଉତ୍ତୋଳନ କରିଥିବା ତୁଙ୍ଗ ନେତାମାନଙ୍କୁ ସମାଲୋଚନା କରି ଘେଲୋଟ ଗାନ୍ଧୀ ପରିବାର ପ୍ରୀତି ତାଙ୍କର ଆନୁଗତ୍ୟ ପ୍ରକାଶ କରିଥିଲେ।

ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳୀୟ ଢାଞ୍ଚାରେ ପରିବର୍ତନ ପାଇଁ ଆନନ୍ଦ ଶର୍ମା, ଭୁପିନ୍ଦ୍ର ସିଂହ ହୁଦା, ଗୁଲାମ ନବୀ ଆଜ଼ାଦଙ୍କ ଭଳି ୨୩ ଜଣ ତୁଙ୍ଗ ନେତା ଜଣାଇଥିଲେ। ଏହାକୁ ନେଇ ଗାନ୍ଧୀ ପରିବାରର ନେତୃତ୍ୱ ବିଚଳିତ ହୋଇପଡିଥିଲେ। ଏହି ଗ୍ରୁପ୨୩ ବିଦ୍ରୋହୀ ନେତାଙ୍କ ସହ ଘେଲୋଟଙ୍କ ବହୁ ଦିନ ଧରି ଭଲ ସଂପର୍କ ରହି ଆସିଛି। ତେବେ ବୈଠକରେ ସେ ଗ୍ରୁପ୨୩ର ସଦସ୍ୟମାନଙ୍କୁ ତୀଵ୍ର ସମାଲୋଚନା କରିଥିଲେ। ଏପରିକି ଆନନ୍ଦ ଶର୍ମାଙ୍କ ସହ ତାଙ୍କର କଥା କତାକଟି ହୋଇଥିଲା। ଗ୍ରୁପ୨୩ର ସଦସ୍ୟଙ୍କୁ ଆକ୍ଷେପ କରି ଘେଲୋଟ ଯେତେବେଳେ କହିଥିଲେ ଯେ ଏହି ନେତାମାନଙ୍କ ପାଇଁ ଦଳର ଅବଦାନ ସେମାନେ ଭୁଲି ଯାଉଛନ୍ତି ସେତେବେଳେ ଆନନ୍ଦ ଶର୍ମା ପ୍ରତି ଆକ୍ରମଣ ଢଙ୍ଗରେ କହିଥିଲେ ଯେ ଦଳ ପ୍ରତି ଏହି ନେତାମାନଙ୍କର ଅବଦାନ ବି ଅନ୍ୟମାନେ ଭୁଲିଯିବା ଉଚିତ ନୁହେଁ।

ସିଡବ୍ଲ୍ୟୁସି ବୈଠକରେ ଘେଲୋତଙ୍କ ଏହି ଆଚରଣ ଓ ଉଚ୍ଚାରଣ ପଛରେ ଦୁଇଟି କାରଣ ରହିଛି। ପ୍ରଥମ କଥା ହେଲା ସେ ଏହି ମଉକାରେ ଗାନ୍ଧୀ ପରିବାରର ଆହୁରି ଘନିଷ୍ଠ ହେବା ସଙ୍ଗେ ସଙ୍ଗେ ଦଳରେ ପତିଆରା ବୃଦ୍ଧି କାରିବାକୁ ଚାହୁଁଛନ୍ତି। ଅନ୍ୟ ପକ୍ଷରେ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି। ଗାନ୍ଧୀ ପରିବାର ଅସନ୍ତୁଷ୍ଟ ହେଲେ ପାଇଲଟଙ୍କ ଉଡ଼ାଜାହାଜ ଟେକଅଫ କରିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version