ଭୁବନେଶ୍ୱର ୬/୧୨ : ଏପର୍ଯ୍ୟନ୍ତ ରାଜ୍ୟରେ ନିର୍ବାଚନ ପାଇଁ କୋ÷ଣସି କାର୍ଯ୍ୟକ୍ରମ ସ୍ଥିର ହୋଇନଥିଲେ ହେଁ ରାଜନୈତିକ ସ୍ତରରେ ନିର୍ବାଚନୀ ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଭୋଟରମାନଙ୍କୁ ମନାଇବା ପାଇଁ ଦେଶର ମୁଖ୍ୟ ଦୁଇ ରାଜନୈତିକ ଦଳ ଓଡ଼ିଶା ଉପରେ ଆଖି ପକାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ମାସ ଶେଷ ଆଡକୁ ଓଡ଼ିଶା ଆସୁଛନ୍ତି । ଉଭୟ ନେତା ରାଜନୀତିକ ସଭା କରି ଓଡ଼ିଶା ଭୋଟରମାନଙ୍କୁ ନିଜ ପକ୍ଷକୁ ନେବାଲାଗି ଉଦ୍ୟମ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୪ ତାରିକରେ ଓଡ଼ିଶା ଗସ୍ତ କରିବେ । ସେ ଖୋର୍ଦ୍ଧାରେ ଏକ ବିଶାଳ ଜନ ସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେପିର ୧୨୦ + ମିଶନକୁ ସାକାର କରିବାକୁ ସେ ରାଜ୍ୟ ଗସ୍ତ କରୁଥିବା ଜଣାଯାଇଛି । ନିଶ୍ଚିନ୍ତକୋଇଲିରେ ଅନୁଷ୍ଠିତ ବିଜେପି ପଦଯାତ୍ରାରେ ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂ ମୋଦୀଙ୍କ ସମ୍ଭାବ୍ୟ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଅପରପକ୍ଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତା ୨୨/୨୩ କିମ୍ବା ୨୭/୨୮ରେ ଓଡ଼ିଶା ଆସିପାରନ୍ତି । ତେବେ ଦିନେ ଦୁଇଦିନ ଭିତରେ ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ରାହୁଲଗାନ୍ଧୀ ଦୁଇଟି ସ୍ଥାନରେ ନିର୍ବଚାନ ସଭା କରିବେ ବୋଲି ସୂଚନା ମିଳିଛି ।