ଭୁବନେଶ୍ୱର ୨/୬ : ରାଜ୍ୟର କୌଣସି କୋଚିଂ ସେଣ୍ଟର୍ ନିରାପଦ ନୁହେଁ । ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ଉରୁ ଆଜି ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି । ସୁରଟ୍ର ଏକ କୋଚିଂ ସେଣ୍ଟର୍ରେ ନିଆଁ ଲାଗି ୨୦ରୁ ଊର୍ଧ୍ବ ଛାତ୍ରଛାତ୍ରୀଙ୍କ ପ୍ରାଣହାନି ହେବା ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ କୋଚିଂ ସେଣ୍ଟର୍ ଉପରେ ଚଢ଼ଉ କରାଯାଇଥିଲା ।
ଗତ ୨୭ ତାରିଖରେ କଟକ ଓ ଭୁବନେଶ୍ବରରେ ୨୩ ଓ ଆଜି ରାଉରକେଲା, ବାଲେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ୪୩ କୋଚିଂ ସେଣ୍ଟରରେ ଅଗ୍ନି ନିର୍ବାପକ ଓ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ତେବେ ଯାଞ୍ଚରୁ ବିଭାଗ ଅନୁଭବ କରିଛି ଯେ ସେଣ୍ଟରଗୁଡ଼ିକ ଶତପ୍ରତିଶତ ଅଗ୍ନି ନିରାପଦ ନୁହେଁ । କେଉଁଠି ଅଗ୍ନି ନିର୍ବାପକ ଯନ୍ତ୍ର ଥିଲେ ମଧ୍ୟ ବ୍ୟବହାର ପାଇଁ ଆବଶ୍ୟକ ମୁତାବକ ଜାଗା ନାହିଁ । ସେହିପରି କେଉଁଠି ନା ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି, ନା ନିଆଁ ଲାଗିଲେ ସହଜରେ ଖସିଯିବାର ସୁଯୋଗ ଅଛି । ଶିଡ଼ି ଓ ରାସ୍ତା ଜାମ୍ ରହିବା ସହ ଯାତାୟାତ ରାସ୍ତାକୁ ଅବରୋଧ କରାଯାଇଛି । ଅଦ୍ୟାବଧି ଶତପ୍ରତିଶତ କୋଚିଂ ସେଣ୍ଟର ଅଗ୍ନି ଜନିତ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିବା ନଜରକୁ ଆସିନାହିଁ । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ କେବଳ ତାଗିଦ୍ କରାଯାଇଛି । ଖୁବ୍ଶୀଘ୍ର ସମସ୍ତଙ୍କ ଅଗ୍ନି ନିର୍ବାପନ ବ୍ୟବସ୍ଥା ନିୟମିତ କରିବା ପାଇଁ ନୋଟିସ କରାଯିବ ।
ପୂର୍ବରୁ ରାଜଧାନୀର କେତେକ ବଡ଼ ବଡ଼ ଅଟ୍ଟାଳିକାରେ ନିଆଁ ଲାଗିବା ପରେ ଚଢ଼ଉ କରାଯାଇଥିଲା । ସେଠାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା । ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ମଲ୍ରେ ଏହି ବ୍ୟବସ୍ଥା ଫେଲ୍ ମାରିଥିଲା । କିଛି ଦିନ ତନାଘନା ପରେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଥିଲା । ଏବେ ମଧ୍ୟ କୋଚିଂ ସେଣ୍ଟରଗୁଡ଼ିକର ଅବସ୍ଥା ତଦ୍ରୂପ ହୋଇଛି