ରାଜ୍ୟ

ରାଜ୍ୟସ୍ତରୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ : ରୋଗୀକୈନ୍ଦ୍ରିକ ନିରବଚ୍ଛିନ୍ନ ସେବା ଉପରେ ଗୁରୁତ୍ୱ

Published

on

ଭୁବନେଶ୍ୱର ୧୮/୧୨ : ରୋଗୀକୈନ୍ଦ୍ରିକ ନିରବଚ୍ଛିନ୍ନ ସେବା ଯୋଗାଣ ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡଃ. ପ୍ରମୋଦ କୁମାର ମେହେର୍ଦ୍ଦା ଗୁରୁତ୍ୱାରୋପ କରିଛନ୍ତି । ମଙ୍ଗଳବାର ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉନ୍ନତି ଆଣି ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ କିଭଳି ସମ୍ପୂର୍ଣ୍ଣ ସଫଳ ହୋଇପାରିବ ସେ ଦିଗରେ ନିଷ୍ପାପର ଉଦ୍ୟମ କରିବାକୁ ଶ୍ରୀ ମେହେର୍ଦ୍ଦା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ନିରାମୟ, ସହାୟ, ନିଦାନ, ଆମ କ୍ଲିନିକ୍, ସୁନେତ୍ର, ନିର୍ମଳ, ସମ୍ପୂର୍ଣ୍ଣା, ଖୁସି, ସ୍ୱାସ୍ଥ୍ୟ ସହାୟ, ଡିଜିଟାଲ ଡିସ୍ପେନ୍ସାରୀ ଭଳି ଯୋଜନାର ସଫଳତା ଦିଗରେ ଅଧିକ ଯତ୍ନବାନ ହେବାକୁ ସେ କହିଛନ୍ତି ।
ଉକ୍ତ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡ଼ିକାଲ ନିଗମ ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ସ୍ୱତନ୍ତ୍ର ସଚିବ ଡଃ. ବିକେ ବର୍ମା, ସାର୍ବଜନୀନ ଚକ୍ଷୁ କାର୍ଯ୍ୟକ୍ରମ କ୍ଷମତାସମ୍ପନ୍ନ କମିଟି ଅଧ୍ୟକ୍ଷ ଡଃ. ଟି.ପି ଦାଶ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡଃ. ହରପ୍ରସାଦ ପଟ୍ଟନାୟକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ. ସ୍ୱପ୍ନେଶ୍ୱର ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version