ଭୁବନେଶ୍ୱର ୨/୨ : ଆସନ୍ତା ୭ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ôଥକ ବର୍ଷ ପାଇଁ କାମଚଳା ବଜେଟ ଆଗତ ହେବ । ଆର୍ଥିକ ବର୍ଷର ୪ ମାସ ପାଇଁ ଏଥିରେ ବ୍ୟୟବରାଦ କରାଯାଇଛି । ଏହି ପରିମାଣ 50 ହଜାର କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ଅନ୍ୟ ୩ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଓଡ଼ିଶା ପୋଲିସ ସେବା ବିଭାଗୀୟ ପଦୋନ୍ନତି କମିଟିର ପୁନର୍ଗଠନ ପ୍ରସ୍ତାବ ଗୃହୀତ ହୋଇଛି । ଏହାଛଡ଼ା ସରକାରୀ ଡ୍ରାଇଭର ନିୟମାବଳୀ ୨୦୧୩ର ସଂଶୋଧନ ପ୍ରସ୍ତାବକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଛି । ସଂଶୋଧିତ ନିୟମାନୁଯାୟୀ କୋ÷ଣସି କାର୍ଯ୍ୟାଳୟରେ ଅନ୍ୟୂନ ୪ଟି ଡ୍ରାଇଭର ପଦବୀ ଥିଲେ ସେଠାରେ ମୁଖ୍ୟ ଡ୍ରାଇଭର ପଦବୀ ସୃଷ୍ଟି ହେବ ଏବଂ ବରିଷ୍ଠତା ଭିତ୍ତିରେ ଡ୍ରାଇଭରମାନଙ୍କୁ ସେହି ପଦବୀରେ ନିଯୁକ୍ତି ଦିଆଯିବ । ସେହିଭଳି ଓଡ଼ିଶା ସଚିବାଳୟର ସେବା ନିୟମ-୨୦୧୬ ସଂଶୋଧନ ପ୍ରସ୍ତାବରେ ମଧ୍ୟ ମୋହର ଲଗାଯାଇଛି । ସଂଶୋଧିତ ନିୟମ ଅନୁଯାୟୀ ଏଏସଓ ପଦବୀ ଲାଗି ପଦୋନ୍ନତି ଅଭିଜ୍ଞତା ହ୍ରାସ କରାଯାଇଛି । ପୂର୍ବରୁ ତାହା ୧୨ ବର୍ଷ ଥିବାବେଳେ ଏହା ୮ ବର୍ଷକୁ କମାଇ ଦିଆଯାଇଛି । ସେହିଭଳି ଅନୁଶାସନ ଓ ଉପଶାସନ ସଚିବଙ୍କ ପଦୋନ୍ନତି ସର୍ତ୍ତକୁ କୋହଳ କରାଯାଇଛି । ଏଥିପାଇଁ ଏଣିକି ୩ ବର୍ଷ ବଦଳରେ ୧ ବର୍ଷର ଅଭିଜ୍ଞତା ଯଥେଷ୍ଟ ହେବ । ବରିଷ୍ଠତା ଭିତ୍ତିରେ ଯୁଗ୍ମ ଶାସନ ସଚିବ ପଦବୀରୁ କର୍ମଚାରୀମାନେ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି ପାଇବେ ।