ନୀଳଗିରି ୨୬/୩ : ନୀଳଗିରିର ରାଣୀ ସାହେବା ମନୋଜା ମଂଜରୀ ଦେବୀଙ୍କୁ ଟିକେଟ୍ ଘୋଷଣା ପରେ ନୀଳଗିରି କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ରାଣୀ ପ୍ରାର୍ଥିତ୍ବକୁ ବିରୋଧ କରି ଗତକାଲି କଂଗ୍ରେସ ଭବନ ସାମ୍ନାରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ଏହାକୁ ନେଇ ନୀଳଗିରିର କଂଗ୍ରେସ ରାଜନୀତି ସରଗରମ ରହିଛି।
ସୂଚନାଯୋଗ୍ୟ ଯେ, ନୀଳଗିରିର ଦୁଇ ଦୁଇଥର ବିଧାୟକ ଅକ୍ଷୟ କୁମାର ଆଚାର୍ୟ୍ୟ ଏବଂ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡଙ୍ଗୀ ଦୁଇ ପ୍ରମୁଖ ନେତା କଂଗ୍ରେସ ଦଳର ସଂଗଠନ ସମ୍ଭାଳି ଆସୁଛନ୍ତି। ମାତ୍ର ନୀଳଗିରି ନିର୍ବାଚନ ମଣ୍ତଳୀ ସହିତ ଜଡ଼ିତ ନଥିବା ରାଣୀ ମନୋଜା ମଂଜରୀ ଦେବୀଙ୍କୁ ଦଳୀୟ ଟିକେଟ୍ ଦେବାକୁ ନେଇ ବିଦ୍ରୋହ ଦେଖାଦେଇଛି। ଏପରି କି ଗତ ୨୩ ତାରିଖ ଦିନ କଲ୍ୟାଣ ମଣ୍ତପରେ ରାଣୀଙ୍କୁ ବିରୋଧ କରି ଉଭୟ ଗୋଷ୍ଠୀ ମଧ୍ୟରେ ପିଟାମରାରେ ୨ ଜଣ ଆହତ ହୋଇଥିଲେ। ଫଳରେ ବୈଠକକୁ ବାତିଲ କରିବାକୁ ପଡ଼ିଥିଲା।