ଭୁବନେଶ୍ୱର ୧୭/୧୨ : ରାଫେଲ ଯୁଦ୍ଧ ବିମାନ ଖର୍ଦ୍ଦି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ୍ ଦେବାପରେ ଏ ସଂକ୍ରାନ୍ତରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଛି । ତେଣୁ ସେ ଏଥିପାଇଁ ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବା ସହ ନିଜ ପଦରୁ ଇସ୍ତପା ଦେବାଲାଗି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦାବି କରିଛନ୍ତି । ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ରାଫେଲ ଚୁକ୍ତିରେ କୋ÷ଣସି ଅନିୟମିତତା ହୋଇନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେବାପରେ କ୍ଷୀର ଓ ପାଣି ଅଲଗା ହୋଇଯାଇଛି । ସତ୍ୟର ଜୟ ହୋଇଥିବାବେଳେ ମିଥ୍ୟାର ପରାଜୟ ଘଟିଛି । ମିଛର ପାଦ ନଥାଏ, ତେଣୁ ତାହା ବେଶିଦିନ ଚାଲିପାରେନାହିଁ । ରାହୁଲ ଗାନ୍ଧୀ ଓ କଂଗ୍ରେସର ଆଚରଣରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ଦେଶର ସବୁ ଚୋର ଏକାଠି ହୋଇ ଚଉକିଦାରଙ୍କୁ ଚୋର କହିଥିଲେ । ଦେଶବାସୀ କଦାପି ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ରୂପାନୀ କହିଛନ୍ତି । କଂଗ୍ରେସର ମିଛ ପଦାରେ ପକାଇବା ପାଇଁ ସାରା ଦେଶର ୭୦ଟି ସ୍ଥାନରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ଶ୍ରୀ ରୂପାନୀ ଭୁବନେଶ୍ୱରଠାରେ ଏହା କହିଛନ୍ତି ।