ଭୁବନେଶ୍ୱର ୧୭/୩ : ରେଳ ବିଦ୍ୟୁତକରଣ ଅଫିସକୁ ଭୁବନେଶ୍ବରରୁ ବେଙ୍ଗାଲୁରୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଏହା ବିରୋଧରେ ଆଜି ନିର୍ବାଚନ ଆୟୋଗଙ୍କୁ ଭେଟି ଫେରାଦ ଦେଇଛି ବିଜେଡି । ଗତକାଲି ବିଜେଡି ସାଧାରଣ ସମ୍ପାଦକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଥିଲେ କି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଏପରି ଆଚରଣ ବିଧି ଉଲଂଘନ ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯିବ । ସ୍ଥାନାନ୍ତରକୁ ରୋକିବା ସହ ନିର୍ବାଚନ ଆଚରଣ ବିଧି ଉଲଂଘନ ପାଇଁ ବିଜେପି ସରକାର ଯେଉଁ ପଦାଧିକାରୀମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ପାଇଁ ଦାବି କରାଯିବ। ଓଡ଼ିଶାରେ ଆଉ ରେଳ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ କର୍ଣ୍ଣାଟକ ଭୋଟ ହାତେଇବା ପାଇଁ ବିଜେପି ସରକାର ଓଡ଼ିଶା ପ୍ରତି ପୁଣି ଥରେ ବୈମାତୃକ ମନୋଭାବ ଦେଖାଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।
ବିଜ୍ଞପ୍ତିରେ ଆହୁରୀ ମଧ୍ୟ କୁହାଯାଇଛି କି, ରେଳ ବିଦ୍ୟୁତକରଣ ଅଫିସ ଭୁବନେଶ୍ବରରୁ ବେଙ୍ଗାଲୁରୁ ସ୍ଥାନାନ୍ତର କରିବା ନେଇ ବିଜୁ ଜନତା ଦଳ ନିନ୍ଦା କରି ବିବୃତି ରଖିଥିଲା। କିନ୍ତୁ ବିଜେପି ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଭାବେ ନିଜର ହାତ ଧୋଇ ଦେଇ ଭୁବନେଶ୍ବରରୁ ରେଳବାଇ ବିଦ୍ୟୁତକରଣ ଅଫିସ ସ୍ଥାନାନ୍ତରକୁ ଯୁକ୍ତିଯୁକ୍ତ ଦର୍ଶାଇଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଏକ ବିଭ୍ରାନ୍ତ, ପ୍ରବଞ୍ଚନା ଓ ପ୍ରହେଳିକାର ବାତାବରଣ ସୃଷ୍ଟି କରି ନିଜର ଦାୟିତ୍ବରୁ ଓହରିଯିବା ପାଇଁ ବିଜେପି ଚାହୁଁଛି। ଏବେ ଓଡ଼ିଶାରେ ୩ଟି ପ୍ରକଳ୍ପର କାର୍ୟ୍ୟ ଯଥା- ଖୋର୍ଦ୍ଧାରୋଡ଼-ବଲାଙ୍ଗୀର, ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ଏବଂ ନୂଆପଡ଼ା-ଗୁଣୁପୁର ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆହୁରି ୩ଟି ପ୍ରକଳ୍ପର କାର୍ୟ୍ୟ ଆରମ୍ଭ ହେବାର ସୂଚନା ମିଳୁଛି। ଏପରି ସ୍ଥିତିରେ ଓଡ଼ିଶାରୁ ରେଳ ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଛି ବୋଲି ଦର୍ଶାଇ ବିଦ୍ୟୁତକରଣ ୟୁନିଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇ ଓଡ଼ିଶା ପ୍ରତି ଉଦାସୀନ ମନୋଭାବକୁ ଦର୍ଶାଉଛି।