ଦେଶ ବିଦେଶ

ଲଢେଇ ପାଇଁ ବିଜେଡି ତୟାର

Published

on

ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ । ଏଭଳି କିଛି ସଂକେତ ଦେଇଛି ଦଳ । ଲୋକସଭା ନିର୍ବାଚନ ଆଗୁଆ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନିଅନ୍ତି, ତେବେ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ଆଗୁଆ କରାଯାଉ । ଦଳ ପକ୍ଷରୁ ସାଂସଦ ପିନାକୀ ମିଶ୍ର ଏ ନେଇ ଲିଖିତ ଭାବେ ନିର୍ବାଚନ କମିସନଙ୍କୁ ଜଣାଇ ଦେଇଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଚାଲିଥିବା ନିର୍ବାଚନୀ ମାମଲାର ଶୀଘ୍ର ସମାଧାନ କରିବାକୁ ମଧ୍ୟ ଦଳ ଅନୁରୋଧ କରିଛି ।
ଲୋକସଭା-ବିଧାନସଭା ନିର୍ବାଚନ ଏକାସଙ୍ଗେ କରିବା ନେଇ ସାରା ଦେଶରେ ବିତର୍କ ଚାଲିଥିବା ବେଳେ ଗୋଟିଏ ପାଦ ଆଗକୁ ବଢିଛି ବିଜେଡି । ତେଲେଙ୍ଗାନାର ଟିଆରଏସ୍ ସରକାର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ନେଇ ଖବର ଚର୍ଚ୍ଚାରେ ଥିବା ବେଳେ ପୁଣି ଥରେ ସମସ୍ତଙ୍କୁ ଚକିତ କରିଦେଇଛି ବିଜେଡି । ନିର୍ବାଚନ କମିଶନଙ୍କୁ ଭେଟି ଲୋକସଭା ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ କରିବାକୁ ଦଳ ଅନୁରୋଧ କରିଛି ।
ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର, ନିର୍ବାଚନ କମିସନଙ୍କୁ ଦେଇ ଥିବା ପତ୍ରରେ ଲେଖାଯାଇଛି, “୨୦୦୪ ମସିହାରୁ ଲୋକସଭା ସହ ଓଡ଼ିଶା ବିଧାନସଭା ନିର୍ବାଚନ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଥିଲା । ଅଲଗା ନିର୍ବାଚନ ହେଲେ ରାଜ୍ୟବାସୀଙ୍କ ଉପରେ ୧୦୦୦ କୋଟି ଟଙ୍କାର ନିର୍ବାଚନ ଖର୍ଚ୍ଚ ପଡିଯିବ । ଏହା ଛଡ଼ା ଦୁଇ ଦୁଇ ଥର ଆଚରଣ ବିଧି ଲାଗୁ ହେଲେ ରାଜ୍ୟର ବିକାଶ ଧାରା ବାଧାପ୍ରାପ୍ତ ହେବ ।” ଏହାକୁ ଦୃଷ୍ଟିରେ ରଖି ଲୋକସଭା ନିର୍ବାଚନ ସହ ଓଡ଼ିଶା ବିଧାନସଭା ନିର୍ବାଚନ କରିବାକୁ ଦଳ ଲିଖିତ ଭାବେ ନିର୍ବାଚନ କମିସନଙ୍କୁ ଜଣାଇଛି ।
ନିର୍ବାଚନ ଖର୍ଚ୍ଚ ଓ ଆଚରଣ ବିଧି କଟକଣା ଅବଧି ହ୍ରାସ କରିବା ଯୁକ୍ତି ରଖି ଏକକାଳୀନ ନିର୍ବାଚନ ପାଇଁ ମୋଦି ସରକାର ଯୁକ୍ତି ବାଢୁଛନ୍ତି । ଏ ନେଇ ଲ’ କମିସନ ମଧ୍ୟ ସମ୍ମତି ଜଣାଇଛନ୍ତି । ଏହି ସ୍ଥିତିରେ ବିଜେଡିର ଏପରି ଆଭିମୁଖ୍ୟ ବେଶ ଗୁରୁତ୍ୱ ରଖୁଛି । ତେବେ ବିଜେଡିର ପଦକ୍ଷେପକୁ ଭୟର ପ୍ରତିଫଳନ ବୋଲି ରାଜ୍ୟ ବିଜେପି ନେତା ଆକ୍ଷେପ କରିଛନ୍ତି । ଆସନ୍ତା ବର୍ଷ ଜାନୁୟାରୀ ମଧ୍ୟରେ ୪ଟି ରାଜ୍ୟର ନିର୍ବାଚନ ଥିବା ବେଳେ ଓଡ଼ିଶା ସମତେ ୫ଟି ରାଜ୍ୟର ନିର୍ବାଚନ ମେ’ ମାସ ମଧ୍ୟରେ ଶେଷ ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version