ଲକ୍ଷ୍ନୌ ୨୧/୨ : ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ଏସପି) ଓ ବହୁଜନ ସମାଜବାଦୀ ପାର୍ଟି(ବିଏସପି) ସିଟ୍ ଘୋଷଣା କରିଛନ୍ତି। ଏହି ଦୁଇ ପାର୍ଟି ପ୍ରାୟତଃ ଅଧା-ଅଧା ସିଟରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ବାକି ସିଟ୍ ସହଯୋଗୀ ଦଳ ପାଇଁ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ୮୦ ଲୋକସଭା ସିଟ୍ ପାଇଁ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଛି।
ଜାରି ହୋଇଥିବା ତାଲିକା ଅନୁସାରେ ସମାଜବାଦୀ ପାର୍ଟି ୩୭ ଓ ବହୁଜନ ସମାଜବାଦ ପାର୍ଟି ୩୮ ସିଟରେ ନିର୍ବାଚନ ଲଢିବେ। ଉଲ୍ଲେଖନୀୟ ୮୦ ସିଟ୍ ମଧ୍ୟରୁ ଦୁଇଟି ସିଟ୍ ଆମେଠି ଓ ରାୟବରେଲୀକୁ କଂଗ୍ରେସ ପାଇଁ ଛାଡ଼ି ଦିଆଯାଇଛି। ଏହା ସହିତ ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି)କୁ ତିନୋଟି ସିଟ୍ ଦିଆଯାଇଛି। ଆରଏଲଡିକୁ ତାର ପରମ୍ପରାଗତ ମଥୁରା, ବାଗପତ ଓ ମୁଜଫରନଗର ସିଟ୍ ମିଳିଛି। ପଶ୍ଚିମ ଉତ୍ତର ପ୍ରଦେଶର ଅଧିକାଂଶ ସିଟ୍ ଏସପି ଏବଂ ପୂର୍ବ ୟୁପିର ଅଧିକାଂଶ ସିଟ୍ ବିଏସପି ଖାତାକୁ ଯାଇଛି।