ନୂଆଦିଲ୍ଲୀ ୮/୧ : ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ତା ଲାଗୁ କରାଯିବା ପ୍ରସ୍ତାବକୁ ସୋମବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବାର ଗୋଟିଏ ଦିନ ନଯାଉଣୁ ଆଜି ଏହି ବିଲକୁ ଲୋକସଭାରେ ଆଗତ କରାଯାଇଛି । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହେଲଟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍ ଗୃହରେ ଆଗତ କରିଛନ୍ତି । ବିଲଟିରେ ଉଚ୍ଚ ଜାତିର ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ଚାକିରି ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣ ଯୋଗାଇ ଦେବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି । ଆଜି ହେଉଛି ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନର ଶେଷ ଦିନ । ବିଲଟି ଆଜି ଗୃହୀତ ହେଲେ ଅଧିବେଶନର ସମୟ ବଢ଼ାଯାଇ ଆସନ୍ତା କାଲି ତାହାକୁ ରାଜ୍ୟ ସଭାରେ ଆଗତ କରାଯିବ ବୋଲି ସୂଚନା ମିଳିଛି ।