କଟକ: ଲୋକସଭା ବାଚସ୍ପତି ଓଁମ ବିର୍ଲାଙ୍କ ନିଷ୍ପତିକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବିରୋଧ କରିଛନ୍ତି।
ବାଚସ୍ପତି ବିର୍ଲା ସଂସଦୀୟ କମିଟିର ରିପୋର୍ଟଗୁଡିକୁ ହିନ୍ଦୀରେ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ହେଲେ କେନ୍ଦ୍ର ସରକାରଙ୍କ ଭଳି ସଂସଦରେ ରାଜଭାଷା ବିଭାଗ ବା ହିନ୍ଦୀ ଅଫିସର ନଥିବାରୁ ଏହି ନିର୍ଦେଶ କାର୍ଯ୍ୟକାରୀ ହୋଇପାରିନଥିଲା। ନିକଟରେ ଅନୁଷ୍ଠିତ ଏକ ବୈଠକରେ ବାଚସ୍ପତି ଏହି ସବୁ ରିପୋର୍ଟଗୁଡିକୁ ହିନ୍ଦୀରେ ଅନୁବାଦ କରିବାକୁ ଗୁଗୁଲ ଟ୍ରାନ୍ସଲେସକୁ ବ୍ୟବହାର କରିବାକୁ କହିଥିଲେ।
ତେବେ ବାଚସ୍ପତିଙ୍କ ଏହି ନିଷ୍ପତିକୁ ବିଜେଡ଼ିର ବରିଷ୍ଠ ସାଂସଦ ତଥା ଲୋକସଭା ଶ୍ରମ ସାଂସଦିୟ ଷ୍ଟାଣ୍ଡିଙ୍ଗ କମିଟିର ଅଧକ୍ଷ ଭର୍ତ୍ତୃହରି ମହତାବ ବିରୋଧ କରିଛନ୍ତି।
ବାଚସ୍ପତିଙ୍କୁ ଚିଠି ଲେଖି ସେ କହିଛନ୍ତି ଯେ ଗୁଗୁଲ ଦ୍ୱାରା ଅନୁବାଦ କରାଗଲେ ଷ୍ଟାଣ୍ଡିଙ୍ଗ କମିଟିର ତଥ୍ୟ ପ୍ରଘଟ ହେବାର ଆଶଙ୍କା ଅଛି। ରକ୍ଷା ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ପବ୍ଲିକ ଆକାଉଣ୍ଟସ କମିଟି ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା କରୁଥିବାରୁ ସେହି ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟସବୁ ରିପୋର୍ଟ ପ୍ରସ୍ତୁତ ହେବା ପୂର୍ବରୁ ପ୍ରଘଟ ହୋଇପାରେ। ବିଶେଷକରି ଶତ୍ରୁ ଦେଶ ପାଇଁ ଭାରତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସୁବିଧାଜନକ ହୋଇଯିବ।
ପୁନଶ୍ଚ, ଗୁଗୁଲରେ ଅନୁବାଦ କଲେ ତାହା ପ୍ରକୃତ ଅନୁବାଦ ହେବ ନାହିଁ ଏବଂ ଏହା ଫଳରେ ସାଂସଦିୟ କମିଟିର ପଵିତ୍ରତା ନଷ୍ଟ ହେବ ।
ଏଣୁ ବାଚସ୍ପତି ତୁରନ୍ତ ଏହି କ୍ଷେତ୍ରରେ ହସ୍ତକ୍ଷେପ କରି ଗୁଗୁଲ ଦ୍ୱାରା ଅନୁବାଦ କରିବାର ଏହି ପ୍ରୟାସକୁ ବନ୍ଦ କରନ୍ତୁ ଵୋଲି ମହତାବ ବିର୍ଲାଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।