ରାଜ୍ୟ

ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

Published

on

ଭୁବନେଶ୍ୱର: ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ପ୍ରତିଭାବାନ ରାଜନେତା ଏବଂ ଦକ୍ଷ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି। ଓଡିଶା ବିଧାନସଭାର ବାଚସ୍ପତି ଭାବରେ ସେ ଦକ୍ଷତାର ସହ ଗୃହ ପରିଚାଳନା କରି ଏକ ଉତ୍ତମ ସଂସଦୀୟ ପରମ୍ପରା ପ୍ରତିଷ୍ଠା କରିଥିଲେ। ଓଡିଶା ସରକାରରେ ମନ୍ତ୍ରୀ ଭାବରେ ସେ ବିଭିନ୍ନ ସମୟରେ ତାଙ୍କର ନେତୃତ୍ବ ଓ ପ୍ରଶାସନିକ ଅଭିଜ୍ଞତାର ପରାକାଷ୍ଠା ରଖିଯାଇଛନ୍ତି।

ଜଣେ ସୁଲେଖକ, ସୁବକ୍ତା ଭାବରେ ସ୍ବର୍ଗତ କର ସମସ୍ତଙ୍କର ଆଦରଣୀୟ ଥିଲେ । ଓଡିଆ ସଂସ୍କୃତି ସଂପର୍କରେ ତାଙ୍କର ଗଭୀର ଜ୍ଞାନ ଥିଲା । ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ରାଜନୈତିଜ୍ଞଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।


ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ଶରତ କରଙ୍କ ବିୟୋଗରେ ପଚାଂୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ “ଓଡିଶାର ଅନ୍ୟତମ ବାଗ୍ମୀ ପ୍ରତିଭାଧର ରାଜ ନେତା ପୂର୍ବତନ ମନ୍ତ୍ରୀ , ସାଂସଦ ଓ ବାଚସ୍ପତି ଶରତ କରଙ୍କ ବିୟୋଗ ଖବର ପାଇ ଅତ୍ୟନ୍ତ ମର୍ମାହତ । ସ୍ୱର୍ଗତ କର ମାହାଙ୍ଗା ଅଂଚଳରେ ପ୍ରତି ଘଜକୁ ଘର ସୁପରିଚ ଥିଲେ । ଜଣେ ବିଶିଷ୍ଟ ଶିକ୍ଷାବିତ୍ , ସାହିତ୍ୟିକ , ସଂଗ୍ରାମୀ ନେତା , ସୁବକ୍ତା ଥିଲେ । ମାହାଙ୍ଗା ଅଂଚଳର ବିକାଶ ପାଇଁ ତାଙ୍କର ଅବଦାନ ନିମନ୍ତେ ସେ ସଦା ସ୍ମରଣୀୟ ହୋଇ ରହିବେ । ତାଙ୍କର ଅମର ଆତ୍ମାକୁ ବିନମ୍ର ଶ୍ରଦ୍ଧାଞ୍ଜଳୀ । ମୁଁ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଇଶ୍ୱର ତାଙ୍କର ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ପ୍ରର୍ଥନା କରୁଛି ।”

Leave a Reply

Your email address will not be published. Required fields are marked *

Trending

Exit mobile version