ରାଜ୍ୟ

ଶହେ କୋଟି ଟଙ୍କାରେ ପ୍ରମୁଖ ସହରରେ ହେବ ପ୍ଲାନେଟାରିଅମ, ସବୁ ଜିଲ୍ଲାରେ ବିଜ୍ଞାନ: ମୁଖ୍ୟମନ୍ତ୍ରୀ

Published

on



ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ଲାନେଟାରିଅମ ଅଛି। ଏହାସହିତ ଆଉ ୬ ଟି ପ୍ଲାନେଟାରିଅମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୩୦ ଟି ଜିଲ୍ଲା ରେ ମଧ୍ୟ ୩୦ ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଏଥିପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ବରର ପଠାଣୀ ସାମନ୍ତ ପ୍ଲାନେଟାରିଅମ୍‌କୁ ଏକ 3-D ପ୍ଲାନେଟାରିଅମରେ ପରିଣତ କରାଯିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥିଲେ ଯେ ଭୁବନେଶ୍ବରର ପଠାଣୀ ସାମନ୍ତ ପ୍ଲାନେଟାରିଅମ୍‌କୁ ଏକ ଥ୍ରୀ-ଡି ପ୍ଲାନେଟାରିଅମରେ ପରିଣତ କରାଯିବ।

  

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମଣିଷ ସଭ୍ୟତାର ବିକାଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଜ୍ଞାନ ବିନା ଆଜି ଜୀବନଯାପନ କରିବା ସମ୍ଭବ ନୁହେଁ । ଯଦି ଆଜି ମଣିଷ ସଭ୍ୟତାର ଶିଖରରେ ପହଞ୍ଚିପାରିଛି, ତେବେ ଏହା ହେଉଛି ବିଜ୍ଞାନର ଅବଦାନ । ବିଜ୍ଞାନ ଓ ବିକାଶ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନୋବୃତି ନେଇ ଜୀବନରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଓଡିଶା ଆଜି ବିକାଶ ପଥରେ ଅଗ୍ରଗତି କରି ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି (ନଲେଜ ଇକୋନୋମି) ଦିଗରେ ଅଗ୍ରସର ହେଉଛି । ବିକାଶର ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଭିତରେ ବୈଜ୍ଞାନିକ ମନୋବୃତି, ଅନୁସନ୍ଧିତ୍ସୁ ମନୋଭାବ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରା ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଠାରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା,
ଜୟପୁର ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version