ଶାମଲୀ ୧୧/୪ : କାଇରାନା ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଶାମଲୀରେ ପ୍ରଥମ ପର୍ୟ୍ୟାୟରେ ମତଦାନ ହେଉଥିବା ବେଳେ ପୋଲିଂ ବୁଥରେ ଗୁଳିଚାଳନା ହୋଇଛି । ସୂଚନା ଅନୁଯାୟୀ, ଏଠାରେ କିଛି ଲୋକ ଭୋଟର ଆଇଡି କାର୍ଡ ବିନା ମତଦାନ କରିବାକୁ କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଭୋଟ ଦେବାରୁ ବାରଣ କରାଯିବାରୁ ମତଦାନ କେନ୍ଦ୍ରରେ ହଙ୍ଗାମା ହୋଇଥିଲା । ତେଣୁ ଏମାନଙ୍କୁ ଘଟଣାସ୍ଥଳରୁ ହଟାଇବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା ।
ଜିଲ୍ଲା ନିର୍ବାଚନ ଅଧିକାରୀ କହିବା ଅନୁଯାୟୀ, ବିନା ଭୋଟ ଆଇଡି କାର୍ଡରେ ଆସିଥିବା ମତଦାତା ଭୋଟ ଦେବାକୁ ଅଡି ବସିବାରୁ ତାଙ୍କୁ ଘଉଡାଇବା ପାଇଁ ବିଏସଏଫ ଯବାନଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା । କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ସହ ଭୋଟ ଗ୍ରହଣ ମଧ୍ୟ ଜାରି ରହିଛି । ଏହି ପୂରା ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଏସଏଫ ଯବାନ ଫାଙ୍କା ଗୁଳିଚାଳନା କରୁଥିବାର ନଜର ଆସିଛନ୍ତି ।