ଭୁବନେଶ୍ୱର ୬/୧ : କୃଷି ଓ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଶେଷରେ ଇସ୍ତଫା ଦେଇଛନ୍ତି । ପିପିଲି ଗଣଦୁଷ୍କର୍ମ ରାୟ ସମ୍ପର୍କରେ ଟିପ୍ପଣୀ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ । ତାଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭ-ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଉପରେ କିଛିଦିନ ଧରି ଚାପ ପ୍ରୟୋଗ କରି ଆସିଥିଲେ । ଏପରିକି ବିଜେପି ଓ କଂଗ୍ରେସ ମହିଳା ସଂଗଠନ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ମହରଥୀ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ଅବଶ୍ୟ ସେ କୋ÷ଣସି ଚାପରେ ନୁହେଁ ସ୍ୱତଃପ୍ରବୃତ୍ତ ଭାବରେ ଇସ୍ତଫା ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ବିଜୁ ଜନତାଦଳର ଜଣେ ସଚ୍ଚୋଟ କର୍ମୀ । ଦଳ ଉପରେ ଯେ ଚାପ ନପଡ଼ୁ ସେଥି ପାଇଁ ସେ ଇସ୍ତଫା ଦେଇଛନ୍ତି । ପିପିଲି ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଖଲାସ ହୋଇଯିବାପରେ “ସତ୍ୟର ଜୟ ହୋଇଛି, ପୀଡିତାଙ୍କୁ ନ୍ୟାୟ ମିଳିଲା” ବୋଲି ଶ୍ରୀ ମହାରଥୀ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ଦୁଇ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶଶି ବେହେରାଙ୍କୁ କୃଷି, ମତ୍ସ ଓ ପଶୁପାଳନ ବିଭାଗ ଦିଆଯାଇଥିବାବେଳେ ଉମେଶ ମାଝିଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।