ପୁରୀ ୨୯/୧୨ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାକୁ ରାଜ୍ୟ ଯୋଜନାର ଶୀର୍ଷରେ ରଖିବା ପାଇଁ ଗଜପତି ମହରାଜା ଶ୍ରୀ ଦିବ୍ୟସିଂହ ଦେବ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିରରେ ଗତକାଲି ସୃଷ୍ଟି ହୋଇଥିବା ଗଣ୍ଡଗୋଳ ସମ୍ପର୍କରେ ମତାମତ ଦେଇ ଗଜପତି କହିଛନ୍ତି ଯେ, ୧୯୬୦ ମସିହାରେ ଗଜପତିଙ୍କଠାରୁ ସରକାର ମନ୍ଦିର ପରିଚାଳନା ଦାୟିତ୍ୱ ନେଇଛନ୍ତି । ଏହା ପୂର୍ବରୁ ଗଜପତିଙ୍କ ରାଜକାର୍ଯ୍ୟରେ ମହାପ୍ରଭୁଙ୍କ ସେବା ଶୀର୍ଷରେ ରହୁଥିଲା । ଏବେ ସରକାର ଏହି ଦାୟିତ୍ୱ ନେଇଥିବାରୁ ସେବା ନୀତିକୁ ରାଜ୍ୟ ସରକାର ନିଜ ଯୋଜନାରୁ ଶୀର୍ଷରେ ରଖିବା ଜରୁରୀ ହୋଇପଡ଼ିଛି । ଗତକାଲି ଶ୍ରୀମନ୍ଦିରରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହେଲା ପରବର୍ତ୍ତୀ ସମୟରେ ତାହାର ପୁନରାବୃତ୍ତି ଯେଭଳି ନଘଟେ ସେଥିପ୍ରତି ସବୁପକ୍ଷ ସତର୍କ ରହିବା ଉଚିତ ବୋଲି ସେ ମତ ଦେଇଛନ୍ତି ।
ତ୍ତତେଣେ ଗତକାଲିର ଘଟଣା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଶ୍ରଦ୍ଧାଳୁମାନେ ବହୁ ସମୟ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହେବା ନିଶ୍ଚିତ ଭାବେ ଦୁଃଖଦାୟକ । ଗତକାଲିର ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦର୍ଶାଇ ସେ କହିଛନ୍ତି ଯେ, ଏସପିଙ୍କ ବଦଳି ଓ ଗତ ଅକ୍ଟୋବରରେ କେତେକ ସେବାୟତଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ସେବାୟତମାନେ କରିଥିବା ଦାବି ଆଦୋ÷ ଗ୍ରହଣୀୟ ନୁହେଁ ।