ପୁରୀ ୨୯/୧୨ : ଶ୍ରୀମନ୍ଦିରରେ ବିଶୃଙ୍ଖଳା ବନ୍ଦ ହେବାର ନାଁ ଧରୁନି । ଶୁକ୍ରବାର ଦିନ ସେବାୟତଙ୍କ ଅସହଯୋଗ ଯୋଗୁ ଦୀର୍ଘ ୧୪ ଘଣ୍ଟା ଧରି ଠାକୁର ଅଖିଆ ଅପିଆ, ଅପୂଜା ରହିଥିବାବେଳେ ଆଜି ପୁଣି ସେଭଳି ଏକ ବିଶୃଙ୍ଖଳ ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଦର୍ଶନ ବେଳେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ କନଷ୍ଟେବଳ ଗିରଫ ହୋଇଛନ୍ତି । ନାବାଳିକା ଜଣକ ନିଜ ପିତାମାତାଙ୍କ ସହ ମନ୍ଦିର ଭିତରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ଗହଳିର ସୁଯୋଗ ନେଇ ଏହି କନଷ୍ଟେବଳ ଜଣକ ତାଙ୍କୁ ଅସଦାଚରଣ କରିଥିଲେ । ପୀଡିତାଙ୍କ ପିତା ସିଂହଦ୍ୱାର ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ ଯାଂଚ କରାଯାଇଥିଲା । ତାହାକୁ ଦେଖି ପୀଡିତା ଜଣକ ସମ୍ପୃକ୍ତ କନଷ୍ଟେବଳଙ୍କୁ ଚିହ୍ନଟ କରିବା ପରେ ତାଙ୍କୁ ଗିରଫ କରାଯିବା ସହିତ ନିଲମ୍ବନ କରାଯାଇଛି । ଏହି କନଷ୍ଟେବଳ ଜଣକ ହେଲେ ଆରବିର ଛୁକେଶ ମେହେର ।