କର୍ଣ୍ଣାଟକ ୨୨/୪ : ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣରେ ଏ ଯାଏଁ ୨୯୦ ଜଣ ଲୋକ ପ୍ରାଣ ହରାଇ ସାରିଲେଣି । ଆହୁରି ୫୦୦ରୁ ଉର୍ଦ୍ଧ୍ୱ ଲୋକ ଏବେବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରମଣରେ କର୍ଣ୍ଣାଟକ ଜନତା ଦଳ ସିକ୍ୟୁଲାର (ଜେଡିଏସ୍)ର ୪ ଜଣ ନେତାଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଆହୁରି ୩ ଜଣ ନେତା ନିଖୋଜ ଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ସହିତ ଆଲୋଚନା ହୋଇଛି ବୋଲି କୁମାରସ୍ୱାମୀ ସୂଚନା ଦେଇଛନ୍ତି ।
ଜେଡିଏସ୍ର ୭ଜଣ ନେତା ଛୁଟି କାଟିବାକୁ ଶ୍ରୀଲଙ୍କା ଯାଇଥିଲେ । ସେମାନେ କଲମ୍ବୋର ଶାଙ୍ଗରୀ-ଲା ହୋଟେଲ୍ରେ ରହୁଥିଲେ । ଗତକାଲିର ଘଟଣାପରେ ସେମାନଙ୍କ ସହିତ ଆଉ କୌଣସି ଯୋଗାଯୋଗ ହୋଇପାରୁ ନାହିଁ । ତେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଦୁଇ ନେତାଙ୍କ ମୃତ୍ୟକୁ ନେଇ ସ୍ପଷ୍ଟ କରିଛନ୍ତି । ସେମାନେ ହେଲେ ହନୁମନ୍ଥରୟପ୍ପା, କେ ଏମ୍ ଲକ୍ଷ୍ମୀନାରାୟଣ, ଲକ୍ଷ୍ମଣ ଗୌଡ଼ା ରମେଶ ଓ ଏମ୍ ରଙ୍ଗପ୍ପା । ଏମାନଙ୍କ ସହିତ ନିଜେ ଜଡ଼ିତ ବୋଲି କୁମାରସ୍ୱାମୀ କହିଛନ୍ତି । ମୃତକଙ୍କ ପରିବାର ପ୍ରତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।