ଅପରାଧ

ଶ୍ୱଶୁରଙ୍କ ଜଘନ୍ୟ କାଣ୍ଡ : ବୋହୂକୁ ମାରିବା ପରେ ନିଜେ କଲେ ଆତ୍ମହତ୍ୟା

Published

on

ଭୁବନେଶ୍ୱର ୧୭/୨ : ପାଣିକୋଇଲି ଥାନା ଅନ୍ତର୍ଗତ ବରୁଣେଇପଡ଼ା ଗାଁରେ ଶ୍ୱଶୁର ନିଜର ବୋହୂକୁ ଧାରୁଆ କତାରେ ୧୪ ଥର ହାଣିବା ପରେ ନିଜେ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ନୀଳମଣି ବେହେରାଙ୍କ ସ୍ତ୍ରୀ ଶକୁନ୍ତଳା ବେହେରା (୨୭)କୁ ଶ୍ୱଶୁର ଦାମୋଦର ବେହେରା (୪୮) କତାରେ ଆକ୍ରମଣ କରିଛି । ନିଜ ପୁଅର ଅନୁପସ୍ଥିତତା ନେଇ ଶ୍ୱଶୁର ବୋହୂକୁ ହାଣି ଲହୁଲୁହାଣ କରିଛି। ଶକୁନ୍ତଳାକୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଗ୍ରାମବାସୀଙ୍କ କହିବା ଅନୁସାରେ ଅପରାହ୍ନରେ ଦାମୋଦର ବେହେରାଙ୍କ ଘର ଭିତରୁ ବଡ଼ ଧରଣର ଶବ୍ଦ ଶୁଣାଯାଇଥିଲେ। ଏହା ଶୁଣି ଗ୍ରାମର କିଛି ଲୋକ ଘଟଣାସ୍ଥଳକୁ ପହଂଚିଥିଲେ। ସେହି ସମୟରେ ଦାମୋଦର ନିଜର ବୋହୂଙ୍କୁ ଧାରୁଆ ଅସ୍ତ୍ରରେ ହାଣୁଥିଲା। ଲୋକଙ୍କୁ ଦେଖି ସେ ବାହାରକୁ ଦୌଡ଼ି ପଳାଇଥିଲା। ପରେ ଗାଁ ଲୋକେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଶକୁନ୍ତଳାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶକୁନ୍ତଳାର ଶାଶୁ ପାରାଲିସ ରୋଗରେ ପୀଡ଼ିତ ଥିବା ବେଳେ ସ୍ୱାମୀ ବାହାରେ ରହି ଦିନ ମଜୁରିଆ କାମ କରିଥାନ୍ତି। ନୀଳମଣି ସପ୍ତାହର ଗୋଟିଏ ଦିନ ଘରକୁ ଆସିଥାନ୍ତି। ବିବାହର ୨ ବର୍ଷ ବିତିଯାଇଥିଲେ ମଧ୍ୟ ପିଲାଛୁଆ ହୋଇ ନଥିଲେ। ଦାମୋଦର ଘରୁ ପଳାଇଯାଇ ଗାଁ ମୁଣ୍ଡର ଏକ ଗଛରେ ଦଉଡ଼ି ଆତ୍ମହତ୍ୟା କରିଛି। ତେବେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version