ନୂଆଦିଲ୍ଲୀ ୧୭/୬ : ସଂସଦ ଗୃହରେ ନେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଆସନରେ ବିରାଜମାନ କରିଥିବା ବେଳେ ତାଙ୍କ ପରେ ରାଜନାଥ ସିଂହ ଏବଂ ଅମିତ ଶାହଙ୍କ ନମ୍ବର ଆସିଥିଲା । ରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିବା ରାଜନାଥ ସିଂହ ଲୋକସଭାରେ ଭାରତୀୟ ଜନତା ପାର୍ଟିର ଉପନେତା ହୋଇଛନ୍ତି । ସେହିଭଳି ସଂସଦୀୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥାତ୍ ରାଜନାଥ ସିଂହଙ୍କ ସ୍ଥାନ ସଂସଦ ଗୃହରେ ଦ୍ୱିତୀୟ ନମ୍ବରରେ ରହିଛି । ଯେଉଁ କାରଣରୁ ରାଜନାଥ ଠିକ୍ ମୋଦିଙ୍କ ପାଖ ସିଟରେ ବସିଥିଲେ । ଗତ ଅଧିବେଶନରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ହିଁ ବସିଥିଲେ । ତେବେ ଯେତେବେଳେ ତାଙ୍କୁ କ୍ୟାବିନେଟରୁ ଗୃହ ମନ୍ତ୍ରୀ ପଦରୁ ହଟାଯାଇ ରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ଦିଆଗଲା ସେତେବେଳେ ରାଜନୈତିକ ମହଲରେ ର୍ଚର୍ଚ୍ଚା ଜୋର ଧରିଥିଲା କି ଅଧିବେଶନର ସଂସଦ ଗୃହରେ ତାଙ୍କ ସ୍ଥାନ ଦ୍ୱିତୀୟ ନମ୍ବରରୁ ତୃତୀୟ ନମ୍ବରକୁ ଖସି ଆସିପାରେ ।
ବିଜେପି ଅଧ୍ୟକ୍ଷ ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଏଥରକ ଲୋକସଭାରେ ମନୋନୀତ ହୋଇ ଆସିଛନ୍ତି । ସେ ସତାପକ୍ଷର ପ୍ରଥମ ହିଁ ଲାଇନରେ ରାଜନାଥ ସିଂହଙ୍କ ପାଖ ସିଟରେ ବସିଥିଲେ । ପୂର୍ବରୁ ଏହି ଆସନରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ବସୁଥିଲେ । ଆଉ ତାଙ୍କ ପାଖ ଆସନରେ ଧାୱରଚନ୍ଦ୍ର ଗେହେଲଟ ଅଛନ୍ତି, ଯିଏକି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀଙ୍କ ଆସନରେ ବିରାଜମାନ ହୋଇଛନ୍ତି । ତେବେ ଏସମସ୍ତ ଆସନ ବ୍ୟତୀତ ଧାୱରଚନ୍ଦ୍ର ଗହେଲଟଙ୍କ ପରେ ନିତିନ ଗଡକରୀ, ସଦାନନ୍ଦ ଗୌଡା, ରବିଶଙ୍କର ପ୍ରସାଦ, ନରେନ୍ଦ୍ର ସିଂହ ତୌମାର ଏବଂ ହରସିମରତ କୌରଙ୍କୁ ପ୍ରଥମ ଧାଡିରେ ହିଁ ଦେଖିବାକୁ ମିଳିଛି । ଏହାପରେ ରାମବିଳାଶ ପାସୱାନ ମଧ୍ୟ ନଜର ଆସିଛନ୍ତି । ଯଦିଓ ସେ ଏଥରକ ଲୋକସଭା ସାଂସଦ ନୁହଁନ୍ତି ହେଲେ ମନ୍ତ୍ରୀ ଭାବେ ତାଙ୍କୁ ଅଧିବେଶନରେ ଦେଖିବାକୁ ମିଳିଛି ।