ଭୁବନେଶ୍ୱର ୨୮/୫ : ଆସନ୍ତାକାଲି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସକାଳ ପ୍ରାୟ ସାଢେ ୧୦ଟାରେ ଶପଥ ନେବେ ନବୀନ । ନୂଆ ମନ୍ତ୍ରୀ ମଣ୍ଡଳ ବି ଶପଥ ନେବେ । ନବୀନଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛି ବିଜେଡି । ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି ।
ସଜେଇ ହେଉଛି ଭୁବନେଶ୍ୱରର ଇଡକୋ ପଡିଆ । ସମାରୋହ ସ୍ଥଳର ଚାରିଆଡେ ଲାଗିବ ସିସିଟିଭି । ଜଗିବେ ୨୫ ପ୍ଲାଟୁନ୍ ଫୋର୍ସ । ୬ ହଜାରରୁ ଅଧିକ ଲୋକ ଶପଥ ସମାରୋହରେ ସାମିଲ ହେବାକୁ ଥିବାରୁ ସୁରକ୍ଷା କଡାକଡି କରାଯାଇଛି । ଓଡିଶାର ସମସ୍ତ ରାଜନୈତିକ ଦଳ ମୁଖ୍ୟ ସମେତ, ବିଧାୟକ ଏବଂ ସାଂସଦଙ୍କୁ ଡକାଯାଇଛି । ରାଜ୍ୟ ତଥା ଦେଶର କିଛି ଶିଳ୍ପପତିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଶିକ୍ଷକ, କୃଷକ, ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଡକାଯାଇଛି । ସେପଟେ କମିଶନରେଟ୍ ପୋଲିସ ପକ୍ଷରୁ ଆଜି କାରକେଡ୍ ଅଭ୍ୟାସ ହେବ ।