ଭୁବନେଶ୍ୱର ୧୯/୩ : ରାଜ୍ୟକୁ ସରଗରମ କରିଛି ସାଧାରଣ ନିର୍ବାଚନ। ନିର୍ବାଚନ ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନରେ ଭୋଟ କିଣିବାକୁ ଟଙ୍କାବଣ୍ଟା ହେବା କିଛି ବିଚିତ୍ର ନୁହେଁ। ଏହା ଦ୍ବାରା ଗାଁ ଗଣ୍ଡା, ସହରାଞ୍ଚଳରେ ମଦ ବିକ୍ରି ବହୁ ପରିମାଣରେ ବଢ଼ିବ। ଏ ପଟେ ଦେଖିଲେ, ବିକ୍ରି ଉପରେ ନିୟନ୍ତ୍ରଣ ରଖିବ କ’ଣ, ଅଧିକ ପରିମାଣର ମଦ ବିକ୍ରି ଉପରେ ଜୋର ଦେଇଛି ଖୋଦ୍ ଅବକାରୀ ବିଭାଗ।
କାରଣ ନିକଟରେ ପ୍ରଣୟନ ହୋଇଥିବା ନୂଆ ମଦନୀତି ଅଧିକ ପରିମାଣରେ ମଦ ବିକ୍ରିକୁ ପ୍ରୋତ୍ସାହିତ କରିବା ନିଶ୍ଚିତ। ସେପଟେ ବିଭାଗ ଆଶଙ୍କା କରିଛି ଯେ ନିର୍ବାଚନ ବେଳେ ମଦ ବିକ୍ରି ଅହେତୁକ ଭାବେ ବୃଦ୍ଧି ପାଇବ। ମଦର ବନ୍ୟା ବହିବ। ଏହା ଦ୍ବାରା ଜନସାଧାରଣଙ୍କ ସ୍ବାସ୍ଥ୍ୟ ବିପନ୍ନ ହେବାର ଆଶଙ୍କାକୁ ବି ଏଡ଼ାଇହେବ ନାହିଁ। ଏପରି ପରିସ୍ଥିତିର ଫାଇଦା ଉଠାଇ ମୁନାଫାଖୋର ମଦ ବେପାରିମାନେ ନକଲି, ବିଷାକ୍ତ ମଦ ବିକ୍ରି କରିବାର ବି ଆଶଙ୍କା ଅଧିକ। ଏହି ଆଶଙ୍କା ଭିତ୍ତିରେ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛି ଅବକାରୀ ବିଭାଗ।
ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏ ନେଇ ଅବକାରୀ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବା ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି। ଗୁଇନ୍ଦା ବିଭାଗ ତଥ୍ୟ ଆଧାରରେ ସେ ଉଲ୍ଲେଖ କରିଛନ୍ତି, ନିକଟ ଭବିଷ୍ୟତରେ ମଦର ଚାହିଦା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବ। ସରକାରୀ ଭାବେ ସେତେ ପରିମାଣର ମଦ ଯୋଗାଇହେବାର ସମ୍ଭାବନା ନ ଥିବାରୁ ମଦ ମାଫିଆ, ଅପରାଧୀ ତତ୍ତ୍ବମାନେ ବେଆଇନ ଭାବେ ଅପମିଶ୍ରିତ ଓ ନକଲି ମଦ ଉତ୍ପାଦନ କାରବାର କରିବାକୁ ଉତ୍ସାହିତ ହେବେ।
ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ମୂଳ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ବିଭାଗ। ଏହି ବିଜ୍ଞପ୍ତିରେ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ବିଭିନ୍ନ ଧାରା ଅନୁଯାୟୀ ବିଭିନ୍ନ ଶ୍ରେଣୀର ପୁଲିସ୍ ଅଧିକାରୀଙ୍କୁ କ୍ଷମତା ଦିଆଯାଇଛି। ଆଇନ ମୁତାବକ ପୁଲିସ୍ ଅଧିକାରୀମାନେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ବିଶେଷ କରି ପୁଲିସ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଅବକାରୀ ଅପରାଧ ସଂପର୍କିତ ତଦନ୍ତ କରିବା ସହିତ ଏହାର ନିୟନ୍ତ୍ରଣ ଦିଗରେ ବିହିତ ପଦକ୍ଷେପ ନେଇପାରିବେ।