ନୂଆଦିଲ୍ଲୀ ୧୨/୪ : ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । ସମସ୍ତ ରାଜନୈତିକ ଦଳ କେଉଁଠାରୁ ଚାନ୍ଦା ଆଣୁଛନ୍ତି ତାହା କହିବା ପାଇଁ ବାଧ୍ୟ ବୋଲି କୋର୍ଟ କହିଛନ୍ତି । କୋର୍ଟ ସମସ୍ତ ରାଜନୈତିକ ଦଳକୁ ମାର୍ଚ୍ଚ ୧୫ ମଧ୍ୟରେ ମିଳିଥିବା ଇଲେକ୍ଟୋରାଲ ବଣ୍ଡର ତଥ୍ୟ ମେ ୩୦ ମଧ୍ୟରେ ବନ୍ଦ ଲଫାପାରେ ପ୍ରଦାନ କରିବା ପାଇଁ କହିଛନ୍ତି ।
କୋର୍ଟ ନିଜ ନିଷ୍ପତିରେ ନିର୍ବାଚନୀ ବଣ୍ଡ ଉପରେ କୌଣସୀ ରୋକ ଲଗାଇ ନାହାନ୍ତି । ଯାହା ସରକାରଙ୍କ ପାଇଁ ଆଶ୍ୱସ୍ତୀ ଆଣିଛି । ଏନେଇ ବିସ୍ତୃତ ଶୁଣାଣିର ଆବଶ୍ୟକତା ଥିବା କୋର୍ଟ କହିଛନ୍ତି ।
କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଇଲେକ୍ଟୋରାଲ ବଣ୍ଡ ନେଇ ଯାଚିକା ଦାଖଲ କରିଥିଲେ । ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଳ କୋର୍ଟରେ ନିର୍ବାଚନ ସମୟରେ କୌଣସୀ ନିଷ୍ପତି ନ ନେବାକୁ କହିଥିଲେ । କୋର୍ଟ ଏହି ମାମଲାରେ ଦଖଲ ଦେବାକୁ ମଧ୍ୟ କେନ୍ଦ୍ର ସରକାର ଅନୁଚିତ ବୋଲି କହିଥିଲେ । ନିର୍ବାଚନ ସରିବା ପରେ ଏହି ପ୍ରସଙ୍ଗ ଉପରେ ନିଷ୍ପତି ନେବାକୁ ସରକାର ପ୍ରସ୍ତାବ ଦେଇଥିଲେ ।
ନିର୍ବାଚନୀ ବଣ୍ଡ୍ ଯୋଜନା ଇଲେକ୍ଟୋରାଲ ବଣ୍ଡ୍ ସ୍କିମ ନାମରେ ପରିଚିତ । ଏହି ବଣ୍ଡ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କିଛି ବଛାବଛା ଶାଖାରେ ମିଳିବ । ଯେଉଁ ୨୯ଟି ଶାଖାରୁ ଏହି ବଣ୍ଡ କିଣାଯିବ, ସେହି ସହର ମଧ୍ୟରେ ନୂଆଦିଲ୍ଲୀ, ଗାନ୍ଧିନଗର, ଚଣ୍ଡିଗଡ, ବାଙ୍ଗାଲୋର, ଭୋପାଳ, ମୁମ୍ବାଇ, ଜୟପୁର, ଚେନ୍ନାଇ ଆଦି ସାମିଲ ରହିଛନ୍ତି । ଏହି ବଣ୍ଡ ଏକ ହଜାର, ଦଶ ହଜାର, ଏକ ଲକ୍ଷ ଏବଂ ଏକ କୋଟି ଟଙ୍କା ପର୍ୟ୍ୟନ୍ତ ମିଳିଥାଏ ।
ସରକାର ଏବଂ ଆରବିଆଇ ଏହି ବଣ୍ଡ୍ ଜାରି କରିଥାନ୍ତି । ଚାନ୍ଦା ଦେଉଥିବା ବ୍ୟାଙ୍କରୁ ବଣ୍ଡ୍ କ୍ରୟ କରାଯାଇ କୌଣସୀ ଦଳକୁ ପ୍ରଦାନ କରାଯାଇ ପାରିବ । ଏହାପରେ ରାଜନୈତିକ ଦଳ ନିଜ ଖାତାରେ ବଣ୍ଡକୁ ଦାଖଲ କରିବେ ।