ଆଇନ କାନୁନ

ସମ୍ବଲପୁରରେ ହାଇକୋର୍ଟ ବେଂଚ ଦାବି କଲେ ନଗେନ୍ଦ୍ର ପ୍ରଧାନ

Published

on

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ସ୍ଥାପନ ଦାବିକୁ ନେଇ ଆନ୍ଦୋଳନ ତେଜୁଥିବାବେଳେ ବିଜେଡ଼ି ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ସମ୍ବଲପୁରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ମତ ରଖିଛନ୍ତି । ସମ୍ବଲପୁରଠାରେ ମିଟ୍ ଦି ପ୍ରେସ୍ କାର୍ଯ୍ୟକ୍ରମରେ ସମ୍ବଲପୁରର ଏହି ସାଂସଦ କହିଛନ୍ତି ଯେ, ସମ୍ବଲପୁର ଓଡ଼ିଶାର ଦ୍ୱିତୀୟ ରାଜଧାନୀ ସଦୃଶ । ସେଠାରେ ହାଇକୋର୍ଟ ବେଂଚ ସ୍ଥାପନ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି । ସମ୍ବଲପୁରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା କରାଗଲେ ସମଗ୍ର ପଶ୍ଚିମ ଓଡ଼ିଶାର ଲୋକେ ଉପକୃତ ହୋଇପାରିବେ ।
ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ସ୍ଥାପନ ନେଇ ସଂପୃକ୍ତ ଅଂଚଳର ବିଭିନ୍ନ ସ୍ଥାନରେ ଆଇନ୍ଜୀବୀଙ୍କ ଆନ୍ଦୋଳନ ଜାରି ରହିଛି ଏବଂ ସମ୍ବଲପୁର ଓ ବଲାଙ୍ଗିରରେ କୋର୍ଟ କାର୍ଯ୍ୟ ଦୀର୍ଘଦିନ ଧରି ବନ୍ଦ ରହିଛି । ସରକାର ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ନିଷ୍ପତି ନେଉ ନଥିବାରୁ ଆନ୍ଦୋଳନ ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଛି । ଶନିବାର ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ଏ ସମ୍ପର୍କରେ ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକମାନେ କହିଥିଲେ ଯେ, ସରକାର ଯଶୋବନ୍ତ ସିଂହ କମିଟି ଆଧାରରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । କୋର୍ଟ ବନ୍ଦ ରହିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସାଂସଦ ଶ୍ରୀ ପ୍ରଧାନ ସମ୍ବଳପୁରରେ ହାଇକୋର୍ଟ ବେଂଚ ସ୍ଥାପନ ପାଇଁ ଦାବି ଉଠାଇ ଥିବାରୁ ଏହା ବଲାଙ୍ଗିରରେ ବେଂଚ ପ୍ରତିଷ୍ଠା ପାଇଁ ଦାବି କରୁଥିବା ଆଇନ୍ଜୀବୀମାନଙ୍କୁ ହୁଏତ କ୍ଷୁବ୍ଧ କରିପାରେ । ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉକ୍ରଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version