Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ବିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ (Whole of Government Approach) ନେଇ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ଯ୍ୟୟର ପ୍ରଭାବକୁ କମ୍‌ କରାଯାଇପାରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଆମ ଦେଶରେ ସବୁଠାରୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ । ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଆମେ ନିୟମିତ ଭାବରେ ସାମ୍‌ନା କରିଆସୁଛୁ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି । ୨୦୨୦-୨୧ରେ ଆମ ରାଜ୍ୟ ମହାବାତ୍ୟା ଅମ୍ଫନ ଓ ବାତ୍ୟା ୟାସ୍‌ର ସାମ୍‌ନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବାରମ୍ବାର ଆସୁଥିବା ବାତ୍ୟା ପ୍ରତିରୋଧ ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ବହୁ ପରିମାଣର ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ ।

ବର୍ତ୍ତମାନ ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇପାରେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖିଆଗରେ ରଖି ଆମର ପ୍ରସ୍ତୁତି ବ୍ୟବସ୍ଥାକୁ ସମୀକ୍ଷା କରି ଯେକୌଣସି ପ୍ରକାର ପରିସ୍ଥିତିର ସାମ୍‌ନା କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାକ୍‌ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍‌ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ଓଡ୍ରାଫ ଓ ଅଗ୍ନିସେବା ୟୁନିଟ ଗୁଡିକ ତୁରନ୍ତ ପଦକ୍ଷେପ ନେବାପାଇଁ ସତର୍କ ହୋଇ ରହିବା ଜରୁରୀ । ବିପଦସଂକୁଳ ଓ ଅଗମ୍ୟ ଅଂଚଳରେ ଯଥେଷ୍ଟ ପରିମାଣରେ ଖାଦ୍ୟ ପଦାର୍ଥ ଏବଂ ଗୋଖାଦ୍ୟ ମହଜୁଦ କରି ରଖିବା ଜରୁରୀ । ବିପର୍ଯ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବ ଦେବା ସହିତ ପ୍ରାଣୀସେବା କ୍ୟାମ୍ପ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସବୁ ଜିଲ୍ଲା ଓ ସଂପୃକ୍ତ ବିଭାଗ ଗୁଡିକରେ କଣ୍ଟ୍ରୋଲ ରୁମ୍‌ ଗୁଡିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମୟରେ ଗର୍ଭବତୀ ମହିଳା, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିବିଶେଷ, ଛୋଟପିଲା, ବିଧବା ମହିଳା ଓ ବୟୋଜ୍ୟେଷ୍ଠ ଲୋକଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା, ପ୍ରାଥମିକ ଚିକିତ୍ସା, ରିଲିଫ ବ୍ୟବସ୍ଥା, ଅତ୍ୟାବଶ୍ୟକ ସେବା ସଂପର୍କିତ ଭିତ୍ତିଭୂମିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଏବଂ ଉଜୁଡି ଯାଇଥିବା ଜୀବିକାର ପୁନଃସଂସ୍ଥାନ ଆଦି ସବୁ ବିଷୟ ଗୁଡିକୁ ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମାନବୀୟ ଦୃଷ୍ଟିକୋଣରୁ ସହାୟତା ପାଇବା ହେଉଛି ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କର ଅଧିକାର । ଏହି ଆଭିମୁଖ୍ୟ ନେଇ ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କୁ ଠିକ୍‌ ସମୟରେ ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ଅଂଶଗ୍ରହଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ସମସ୍ତ ବିପର୍ଯ୍ୟୟ ପ୍ରବଣ ଅଂଚଳରେ ଗୋଷ୍ଠୀମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ଏବଂ ସରକାରୀ କର୍ମଚାରୀ ଓ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ପ୍ରକୃତିର ବିଭୀଷିକାର ମୁକାବିଲା ପାଇଁ ଆମର ସମାଜ ସବୁବେଳେ ପ୍ରସ୍ତୁତ ରଖିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଆଲୋଚନାରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ  ନରସିଂହ ମିଶ୍ର,ବିଧାୟକ ଜୟନ୍ତ ଷଡଙ୍ଗୀ, ବିଧାୟକ ପ୍ରତାପ କେଶରୀ ଦେଓ, ବିଧାୟକ ଅନନ୍ତ ଦାସ ପ୍ରମୁଖ ଭାଗ ନେଇ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।

ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କର ପ୍ରାରମ୍ଭିକ ଭାଷଣରେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସ୍ବତନ୍ତ୍ର ରିଲିଫ କମିଶନର  ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକ, ମୁଖ୍ୟ ଶାସନ ସଚିବ ,ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Continue Reading
Click to comment

Leave a Reply

Your email address will not be published. Required fields are marked *

ରାଜ୍ୟ

ଗଙ୍ଗାଧର ବିଷୋୟୀ ଓଡ୍ର ଖଣ୍ଡାୟତ କାଳଞୀ ସମାଜ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି

Published

on

ବୁଗୁଡ଼ା :  ଓଡ୍ର ଖଣ୍ଡାୟତ କାଳଁଞୀ ସମାଜର କେନ୍ଦ୍ରୀୟ ପରିଷଦ ପକ୍ଷରୁ ଆଜି ବେତାରସିଙ୍ଗି ଅଂଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୁଗୁଡ଼ା-ଭଞ୍ଜନଗର ଅଂଚଳର ଜଣାଶୁଣା ଲୋକପ୍ରିୟ ଜନନେତା ଗଙ୍ଗାଧର ବିଷୋୟୀଙ୍କୁ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି ଭାବେ ମନୋନୀତ କରାଯଇଛି l

ଅଞ୍ଚଳ ପରିଷଦର ଉପସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ,ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ, ଓ ଉପଦେଷ୍ଟା ଭାବେ ଗନ୍ଧର୍ବ ସେନ୍ ଭୂୟା ସର୍ବ ସମ୍ମତି ଭାବେ ନିର୍ବାଚିତ ହୋଇଛନ୍ତି l

ବୈଠକରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଚଳ ପୋଲେଇ, ଉପଦେଷ୍ଟା କାଳୀଚରଣ ନାୟକ, ଆସିକା ଅଞ୍ଚଳ ସଭାପତି ନରହରି ବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଶୋଇ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣ ଭୂୟା ,ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମଚରଣ ଜେନା, କଇଁଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନଙ୍କ ସମେତ ଗ୍ରାମମଣ୍ଡଳ,ଅଞ୍ଚଳ ଓ 19 ଖଣ୍ଡ ଗ୍ରାମର ସମାଜ ଭାଇମାନେ ଉପସ୍ଥିତ ଥିଲେ l

ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ କୂଳ ଦେବତାଙ୍କ ନିକଟରେ ଶପଥ ପାଠ କରାଯାଇଥିଲା l

ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧ ବୃଦ୍ଧା ଙ୍କ କଲ୍ୟାଣ ସୁରକ୍ଷା ,ନାରୀ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ l ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ଘୋଷଣା କରାଯାଇଛି l ଶେଷରେ ନବ ନିର୍ବାଚିତ ସଭାପତି ଗଙ୍ଗାଧର ବିଶୋଇ ଧନ୍ୟବାଦ ପ୍ରଦାନ କରିଥିଲେ l

Continue Reading

ରାଜ୍ୟ

ହାପି ଆକ୍ସିସ ଫାଉଣ୍ଡେସନ ର ଆର୍ଟ କର୍ମଶାଳା

Published

on

ଭୁବନେଶ୍ୱର : ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମାଟି, ଗଛ ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ‘ପ୍ଲାନଟିୟୋର୍ ଏ ପ୍ଲାନଟେ’ ଶୀର୍ଷକ ଏକ ସୃଜନଶୀଳ କର୍ମଶାଳା ଏଠାର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଭିନ୍ନ ବର୍ଗରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇ ମାଟିପାତ୍ର ଚିତ୍ରାଙ୍କନ ଏବଂସେଥିରେ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଇଥିଲେ।

କର୍ମଶାଳାରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ମାଟିପାତ୍ର ଓ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା। ସେମାନେ ନିଜ କଳ୍ପନା ଓ ସୃଜନଶୀଳତାର ରଙ୍ଗରେ ମାଟିପାତ୍ରକୁ ସଜାଇବା ସହିତ ସେଥିରେ ଚାରା ରୋପଣ କରି ଘରକୁ ନେଇଯାଇଥିଲେ। ଏହା ପ୍ରକୃତି ପ୍ରତି ସଚେତନତା, ମାନସିକ ପ୍ରଶାନ୍ତି ଏବଂ ସୃଜନଶୀଳତାର ଏକ ସୁନ୍ଦର ସମନ୍ୱୟ ଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ କଟକ କୁମ୍ଭାର ସାହିର କାରିଗରମାନଙ୍କ ନିର୍ମିତ ମାଟିପାତ୍ର ବ୍ୟବହାର କରାଯାଇଥିଲା। ଏହା ସହ ଚାରାଗୁଡ଼ିକୁ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଆୟୋଜକମାନଙ୍କ ମତାନୁସାରେ, ମାଟିର ସ୍ପର୍ଶ ଓ ପ୍ରକୃତି ସହ ସଂଯୋଗ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏପରି କାର୍ଯ୍ୟକ୍ରମ ଲୋକଙ୍କୁ ସକାରାତ୍ମକ ଅନୁଭୂତି ପ୍ରଦାନ କରେ।

ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି କର୍ମଶାଳା ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟର ଏକ ନିଆରା ପ୍ରୟାସ ଭାବେ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା। ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ରଥଯାତ୍ରା ଅବସରରେ ଏକ ଭିନ୍ନ ଶୈଳୀରେ ଜଗନ୍ନାଥ ପେଣ୍ଟିଂକୁ ନେଇ ଆଉ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ନୂତନ ପିଢ଼ୀ ସହ ଯୋଡ଼ିବାକୁ ଉଦ୍ୟମ କରାଯିବ।

 

 

Continue Reading

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions