ନିରାକାରପୁର ୧୭/୧ : ନିରାକାରପୁର ଅଂଚଳରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସରକାରୀବାବୁଙ୍କୁ ଲାଂଚ ଦେଇ ପାରିଲେନି କି ଘର ବି ପାଇଲେନି । ଅନ୍ୟ ଉପାୟ ନପାଇ ଶେଷରେ କଲେ ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇ ନିଜ ଜୀବନ ନେଇଛନ୍ତି ନନପଡ଼ା ଗ୍ରାମର ଲକ୍ଷ୍ମୀଧର ବେହେରା । ଆଜି ଗହିରଆଡ଼ିଆ ନିକଟରୁ ତାଙ୍କ ଶବ ଉଦ୍ଧାର କରାଯାଇଛି । ପୋଲିସ ସେଠାରୁ ବିଷ ପ୍ୟାକେଟ, ଏକ ବ୍ୟାଗ ଓ ଲୁଗାପଟା ଜବତ କରିଛି । ଏହା ପୂର୍ବରୁ ଲକ୍ଷ୍ମୀଧର ନିଜ ବକ୍ତବ୍ୟର ଏକ ଭିଡ଼ିଓ ଫୁଟେଜ ଜାରି କରିଥିଲେ । ଏହା ୩/୪ ଦିନ ହେବ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିଲା । ଲାଂଚ ଦେଇ ନପାରି ସେ କିଭଳି ଗ୍ରାମୀଣ ଆବାସ ପାଇପାରିଲେନି ଓ ସେ କିଭଳି ଦୁର୍ଦ୍ଦିନରେ କାଳ କାଟୁଛନ୍ତି ତାହା ଏଥିରେ ସେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ତାଙ୍କର ଏକ ଭଙ୍ଗା ଆଜବେଷ୍ଟସ ଘର ଅଛି । ସେ ସରକାରୀ ଘର ପାଇଁ ଆବେଦନ କରିଥିଲେ । କିନ୍ତୁ ବାବୁ କହିଲେ ଆଜବେଷ୍ଟସ ଘର ଥିବାରୁ ତମକୁ ସରକାରୀ ଘର ମିଳିବ ନାହିଁ । ଅବଶ୍ୟ ୨୦/୩୦ ହଜାର ଯୋଗାଡ କରି ଯଦି ଆଣିବ ତେବେ ସରକାରୀ ଘର ଦିଆଯାଇପାରେ । ଏତେ ଟଙ୍କା ଯୋଗାଡ କରିବା ସମ୍ଭବ ନଥିବାରୁ ସେ ଅସହାୟ ଅବସ୍ଥାରେ କାଳ କାଟୁଥିଲେ ଏବଂ ସରକାରୀ ଘର ଆଶା ମନରୁ ପୋଛି ଦେଇଥିଲେ । ଦାରିଦ୍ର୍ୟ ଓ ମର୍ମଦାହ ମଧ୍ୟରେ ସେ ଜୀବନ କାଟୁଛନ୍ତି ବୋଲି ଲକ୍ଷ୍ମୀଧର ଏହି ଭିଡ଼ିଓ ଫୁଟେଜରେ କହୁଥିବାର ଦେଖିବାକୁ ମିଳିଥିଲା