ରାଜ୍ୟ

ସରିଲା କାର୍ତିକ ବ୍ରତ: ହବିଷ୍ୟାଳିଙ୍କ ଘର ବାହୁଡ଼ା

Published

on

ପୁରୀ : ହବିଷ୍ୟାଳିଙ୍କ ମାସକର କାର୍ତିକ ବ୍ରତ ଆଜି ‌ଶେଷ ହୋଇଛି। ପବିତ୍ର କାର୍ତିକ ପୂର୍ଣ୍ଣିମାରେ ପ୍ରାତଃ ସ୍ନାନ ସାରି ଏବଂ ଦେବ ଦର୍ଶନ କରି ହବିଷ୍ୟାଳିମାନେ ମାସକର ବତ୍ରକୁ ଆଜି ସମାପନ କରିଛନ୍ତି। ମାସେ ଧରି ପୁରୀର ଚାରି ଆଶ୍ରୟସ୍ଥଳୀରେ ରହୁଥିବା ହବିଷ୍ୟାଳିମାନେ ବ୍ରତ ସାରି ଘରବାହୁଡ଼ା ପର୍ବ ଆରମ୍ଭ କରିଛନ୍ତି। ଆଜି ଅର୍ଧାଧିକ ହବିଷ୍ୟାଳି ଶିବିର ଛାଡ଼ିଥିବା ବେଳେ ବାକି ଆସନ୍ତାକାଲି ଘରକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସୂଚନାଥାଉକି, ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ପୁରୀ ସହରର ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ପୌରପାଳିକା କଲ୍ୟାଣ ମଣ୍ଡପ ଓ ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ପ୍ରଶାସନ ଜରିଆରେ ବିଭିନ୍ନ ଜିଲ୍ଲାରୁ ହବିଷ୍ୟାଳିମାନେ ନାମ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ଏଠାରେ ରହିବାର ସୁଯୋଗ ଦିଆଯାଇଥିଲା। ଚଳିତ ବର୍ଷ ୨୬ ଶହରୁ ଅଧିକ ହବିଷ୍ୟାଳି ଚାରି ଆଶ୍ରୟସ୍ଥଳୀରେ ରହିଥିଲେ। ପ୍ରତ୍ୟହ ସକାଳେ ସେମାନଙ୍କୁ ଚା’ ଓ ସଂଧ୍ୟାରେ ମହାପ୍ରସାଦ ସେବନ କରିବାକୁ ଦିଆଯାଉଥିଲା। ଦିନକୁ ଓଳିଏ ଖାଉଥିବା ହବିଷ୍ୟାଳିମାନେ ନିତି ଆଶ୍ରୟସ୍ଥଳୀରେ ତୁଳସୀ ଚଉରା ମୂଳେ ପୂଜାର୍ଚ୍ଚନା କରିବା ସହ ଭଜନକୀର୍ତନରେ ସମୟ ବିତାଇଥିଲେ। ପ୍ରତିଦିନ ଶ୍ରୀମନ୍ଦିର ଯାଉଥିଲେ। ଏହା ମଧ୍ୟରେ ଆଶ୍ରୟସ୍ଥଳୀରେ ରହିବା ମାସେ ପୂରିଛି। କାର୍ତିକ ବୁଡ଼ ପକାଇ ହବିଷ୍ୟାଳିମାନେ ବ୍ରତ ସଂପୂର୍ଣ୍ଣ କରିବା ସହ ଆଜିଠାରୁ ଘରବାହୁଡ଼ା ପର୍ବ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version