ରାଜନୀତି

ସରୋଜିନୀଙ୍କ ସହିତ ନାମାଙ୍କନପତ୍ର ଦାଖଲରେ ସାମିଲ ହେଲେ ସାନନ୍ଦ ମାର୍ଣ୍ଡି

Published

on

ବାରିପଦା ୯/୪ : ପର‌୍ୟ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରାୟ ସବୁ ହେଭିୱେଟ୍ ନେତା ଆଜି ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଟିକେଟ୍ରୁ ବଞ୍ଚିତ ହୋଇଥିବା ସାନନ୍ଦ ମାର୍ଣ୍ଡିଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କାର‌୍ୟ୍ୟକ୍ରମକୁ ଆସିବେ ନା ନାହିଁ, ଏନେଇ ଦ୍ବନ୍ଦ୍ବ ଥିଲା। ମାତ୍ର ସାନନ୍ଦ କିନ୍ତୁ ଆଜି ପୂର୍ଣ୍ଣମାତ୍ରାରେ ନିଜକୁ ସାମିଲ କରିଥିଲେ ଦଳୀୟ ଶୋଭାଯାତ୍ରାରେ। ଏପରିକି ବାରିପଦା ବିଧାନସଭା ପାଇଁ ଦଳୀୟ ପ୍ରାର୍ଥୀ ସରୋଜିନୀଙ୍କ ସହିତ ପ୍ରାର୍ଥିପତ୍ର ଦାଖଲର ଶେଷ ପର‌୍ୟ୍ୟନ୍ତ ରହିଥିଲେ ସାନନ୍ଦ।
ସେହିପରି ବାରିପଦାରେ ସାନନ୍ଦଙ୍କ ସମର୍ଥକମାନେ ମଧ୍ୟ ଦଳୀୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଆଜି ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରାରେ ଦଳୟ ସାଂସଦ ପ୍ରାର୍ଥୀ ଦେବାଶିଷ ମାର୍ଣ୍ଡି, ବାରିପଦା ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ୍, ମୋରଡ଼ା ପ୍ରାର୍ଥୀ ରାଜ କିଶୋର ଦାସ, ବଡ଼ସାହି ପ୍ରାର୍ଥୀ ବୃନ୍ଦାବନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି(ବାବୁ), ବରିଷ୍ଠ ନେତା ରାଜ କିଶୋର ଆଚାର‌୍ୟ୍ୟ, କୃଷ୍ଣାନନ୍ଦ ମହାନ୍ତି (ବାଦଲ), ଯୁବସଭାପତି ଜିତେନ୍ଦ୍ର ମହାନ୍ତି, ଜୋନାଲ୍ ସଭାପତି ସୁବ୍ରମଣ୍ୟମ ମହାନ୍ତି, ମହିଳା ସଭାନେତ୍ରୀ ବୀଣାପାଣି ସାହୁ, ବହୁ କାଉନ୍ସିଲର, ଯୁବ ଛାତ୍ର ସଂଗଠନର ଶତାଧିକ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବ୍ଲକ୍ର ଅଧ୍ୟକ୍ଷ/ଅଧ୍ୟକ୍ଷା ପ୍ରମୁଖ ସାମିଲ ହୋଇଥିଲେ। ବାଙ୍ଗିରିପୋଷି ବିଧାୟକ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ନିଜ ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଆସିଥିଲେ। ରାଜ କିଶୋର ଦାସ ମଧ୍ୟ ନିଜ ସମର୍ଥକଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିଥିଲେ। ପରେ ସମସ୍ତ ନେତା ଏକାଠି ଗୋଟିଏ ଶୋଭାଯାତ୍ରରେ ସହର ପରିକ୍ରମା କରିବା ସହିତ ନାମାଙ୍କନ ଦାଖଲ ନିମନ୍ତେ ଯାଇଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version