National

ସହିଦ୍‌ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପା ସହାୟତା ଯୋଗାଇ ଦେବେ – ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧାମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିବା ସହିତ ସହିଦ୍‌ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଯେ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ସମୟରେ ସହିଦ୍‌ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଭାରତ ସରକାର ମାତ୍ର ଜଣେ ସହିଦ୍‌ଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ କୋଭିଡ ପ୍ରୋଟୋକଲ୍‌କୁ ଅଧିକ ବ୍ୟବସ୍ଥିତ କରାଯାଇଛି । ତେଣୁ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କର ସ୍ବାସ୍ଥ୍ୟର ଗୁଣାତ୍ମକ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟରେ ବର୍ତ୍ତମାନ ୭୮ ପ୍ରତିଶତ ଲୋକ ଗୃହ ସଂଗରୋଧରେ ଅଛନ୍ତି । ତେଣୁ ଗୃହ ସଂଗରୋଧରେ ଥିବା ରୋଗୀ ଏବଂ କୋଭିଡ ହସ୍‌ପିଟାଲରେ ରହିଥିବା ରୋଗୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସିଧାସଳଖ ଯୋଗାଯୋଗ କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏତ୍‌ଦବ୍ୟତିତ ଆଣ୍ଟି ଭାଇରାଲ ଔଷଧ ସଂପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।

ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଜାତୀୟ ଆରୋଗ୍ୟ ହାର ୮୫ ପ୍ରତିଶତ ଥିବାବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯ ପ୍ରତିଶତ ପହଞ୍ଚିଛି ବୋଲି ଜଣାଯାଇଛି। ରାଜ୍ୟରେ ଗତ ୮ ମାସ ଭିତରେ ୩୬ ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬.୭୫ ପ୍ରତିଶତ ପଜିଟିଭ କେସ୍ ବାହାରିଛି ।

ଆଗକୁ ପୂଜା ଋତୁ ଆସୁଥିବାରୁ ଅଧିକ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡିକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଏତଦ୍‌ବ୍ୟତୀତ କୋଭିଡ ନିୟମାବଳୀ ଏବଂ ଔଷଧ ସେବନ ସଂକ୍ରାନ୍ତରେ ନିୟମିତ ସଚେତନତା ଅଭିଯାନ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ପୋଲିସ କର୍ମଚାରୀମାନେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚପ୍ରଶଂସା କରିଥିଲେ।

ମୋ ସରକାରରେ ଲୋକଙ୍କ ଠାରୁ ନିଆଯାଇଥିବା feedback ଅନୁଯାୟୀ ଟେଷ୍ଟିଂ, ଟେଷ୍ଟିଂ ରିପୋର୍ଟ, ରୋଗୀଙ୍କୁ ସୂଚନା ଏବଂ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବା ବ୍ୟବସ୍ଥାକୁ ଆହୁରି ଦକ୍ଷତାର ସହ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ। କଟକ, ପୁରୀ ଓ ଭୁବନେଶ୍ବରରେ ଏକ ଲକ୍ଷ ଆଣ୍ଟି ଭାଇରାଲ ମେଡିସିନ୍‌ ଦିଆଯାଇଛି ଏବଂ ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହା ରୋଗୀଙ୍କୁ ଦିଆଯିବ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର କହିଥିଲେ ଯେ ରାଜ୍ୟରେ ମୃତ୍ୟୁ ହାର ୦.୪ ପ୍ରତିଶତ ରହିଛି ଯାହାକି ଭାରତର ସବୁ ବଡ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବୋତ୍ତମ ସୂଚକାଙ୍କ। ସେହିପରି ସୁସ୍ଥତା ହାରରେ ମଧ୍ୟ ଓଡିଶା ଦେଶର ରାଜ୍ୟ ମାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି। ସେ କହିଥିଲେ ଯେ ରାଜ୍ୟରେ ଆଇସିୟୁ, ହସ୍‌ପିଟାଲ ଶଯ୍ୟା ଆଦି ବ୍ୟବସ୍ଥା ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଅଛି । କଟକ-ଭୁବନେଶ୍ବରର ପାଇଁ ଅଧିକ ବ୍ୟବସ୍ଥା କରାଯାଉଛି ।

ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ ବର୍ତ୍ତମାନ ପୋଲିସ କର୍ମଚାରୀମାନଙ୍କ ଦ୍ବାରା ପ୍ଲାଜମା ଦାନ ଅଧିକ ପରିମାଣରେ କରାଯାଉଛି ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମଧ୍ୟ କମୁଛି ବୋଲି ସେ ସୂଚନା ଦେଇଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ କହିଲେ ଯେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଭାବରେ ଗୃହ ସଂଗରୋଧ ଏବଂ ଆଣ୍ଟି ଭାଇରାଲ ଡ୍ରଗ୍‌ ଥେରାପୀ ପାଇଁ ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ କରାଯାଇଛି। ବିଭିନ୍ନ ଟେଲିଭିଜନ ଚ୍ୟାନେଲ, ରେଡ଼ିଓ ତଥା ସ୍ଥାନୀୟ ଚ୍ୟାନେଲ ମାନଙ୍କ ଜରିଆରେ ଏହାର ପ୍ରଚାର ପ୍ରସାର କରାଯାଉଛି । ଏହାସହିତ ୪୦ଟି ୱେବ ମିଡ଼ିଆରେ ଏବଂ ଉଭୟ ବିଭାଗର ସାମାଜିକ ଗଣମାଧ୍ୟମ ଜରିଆରେ ମଧ୍ୟ ଏହାର ପ୍ରଚାର କରାଯାଉଛି ।

ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version