ରାଜନୀତି

ସୁନ୍ଦରଗଡ ରାଜନୀତି : ପ୍ରାର୍ଥୀଙ୍କ ପାଇଁ ଅଡୁଆ ସାଜିଛନ୍ତି ଦଳ ଓ ମେଣ୍ଟର ବିଦ୍ରୋହୀ ନେତା

Published

on

ରାଉରକେଲା ୧/୪ : ଆଗାମୀ ଦିନରେ ପ୍ରଚାର ଜମିବ। ତେବେ ଯେତେ ପ୍ରଚାର କଲେ ବି ସବୁ ନିର୍ବାଚନ କ୍ଷେତ୍ରରେ ଚାରି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ଓ ସିପିଏମ୍ ପ୍ରାର୍ଥୀଙ୍କ ପାଇଁ ଦଳ ଓ ମେଣ୍ଟର ବିଦ୍ରୋହୀ ନେତା ଅଡୁଆ ସାଜିଛନ୍ତି।
ରାଉରକେଲାରେ ପୂର୍ବତନ ମନ୍ତ୍ରୀ ସାରଦା ନାୟକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ବିଜେଡି ନେତ୍ରୀ ମିନତୀ ଦେବତା ଓ ବିକାଶ ମାନସିଂହ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ମିନତୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ବିକାଶ ସ୍ୱାଧୀନ ଭାବେ ନିର୍ବାଚନ ପ୍ରତିଦ୍ୱନ୍ଦିତା କରୁଛନ୍ତି। ରାଉରକେଲା ବିଜେଡି ରାଜନୀତିରେ ବିକାଶଙ୍କ ସେଭଳି ଗୁରୁତ୍ୱ ନ ଥିଲେ ମଧ୍ୟ ଏକଦା ସାରନା ନାୟକଙ୍କ ଅନୁଗତ ଥିବା ଏହି ନେତା କାହିଁକି ତାଙ୍କ ବିରୋଧରେ ଗଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିକାଶ ନିର୍ବାଚନ ପ୍ରଚାର ବେଳେ ସାରଦାଙ୍କ ଅନେକ ଗୁମର ଖୋଲିବେ ବୋଲି ତାଙ୍କ ସମର୍ଥକ ପ୍ରଚାର କରୁଛନ୍ତି। ଯଦି ସେଭଳି କିଛି ନୂଆ କଥା ପଦାକୁ ଆସେ, ତେବେ ସାରଦା ଅଡୁଆରେ ପଡ଼ିବା ସ୍ୱାଭାବିକ। ବିଜୁ ଜନତା ଦଳରୁ ଇସ୍ତଫା ଦେଇ କଂଗ୍ରେସ ଟିକେଟରେ ରଘୁନାଥପାଲି ଆସନରୁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରଶାନ୍ତ ସେଠୀ ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇଙ୍କ ପାଇଁ ଅଡୁଆ। ବିଜେଡିରେ ଥିବା ବେଳେ ଉଭୟ ନେତାଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲେ ବି ଦଳ ମଜବୁତ ଥିଲା। ବିଜେଡିର ପ୍ରଶଂସା ଗାନ କରୁଥିବା ନେତା ଏବେ ଉଭୟ ଦଳ ଓ ସୁବ୍ରତଙ୍କ ବିଫଳତା କଥା କହି ବୁଲୁ ଥିବାରୁ ଦଳୀୟ ସମର୍ଥକମାନେ ଚିନ୍ତାରେ ପଡିଛନ୍ତି। ସୁବ୍ରତ ଏହାର କିପରି ମୁକାବିଲା କରୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର।
ବୀରମିତ୍ରପୁର ଆସନରୁ ବିଜେଡିର ବିଦ୍ରୋହୀ ସଂଜୀବ ପ୍ରତାପ ସିଂଦେଓ (ଲାଲୁ) ଦଳୀୟ ପ୍ରାର୍ଥୀ ମଖଲୁ ଏକ୍କାଙ୍କ ପାଇଁ ଚିନ୍ତାର ବିଷୟ ହୋଇଛନ୍ତି। ନିର୍ବାଚନ ମଣ୍ଡଳୀରେ ଲାଲୁଙ୍କର ପ୍ରଭାବ ଥିବାରୁ ମଖଲୁ ତାଙ୍କ ଭୋଟ କାଟିବା ସ୍ୱାଭାବିକ। ଲାଲୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବାରୁ ବିଜେଡି ଶକ୍ତି ହ୍ରାସ ଓ ବିଜେପିର ଶକ୍ତି ବୃଦ୍ଧି ପାଇଛି। ଟିକେଟରୁ ବଞ୍ଚିତ ପୂର୍ବତନ ବିଧାୟକ ଗ୍ରିଗୋରୀ ମିଞ୍ଜ କଂଗ୍ରେସ ପ୍ରାର୍ଥୀ ଡ. ରାଜନ ଏକ୍କାଙ୍କ ପାଇଁ ମଧ୍ୟ ଅଡୁଆ। ଡ ରାଜନ କଂଗ୍ରେସ ରାଜନୀତିରେ ନୂଆ। ଜର୍ଜ ତିର୍କୀ ହିଁ ତାଙ୍କର ଭରସା। ପୂର୍ବରୁ ଦୁଇ ଥର ବିଧାୟକ ଥିବା ଗ୍ରିଗୋରୀ ମିଞ୍ଜ କଂଗ୍ରେସ ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଦଳର ସମର୍ଥକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ଏବେ ରାଜଗାଙ୍ଗପୁର କଂଗ୍ରେସ ଦୁଇ ଭାଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ପରିସ୍ଥିତିରେ ରାଜନ କିଭଳି ମୁକାବିଲା କରିବେ ତାହା ଉପରେ ସମସ୍ତଙ୍କ ନଜର। ତଳସରା ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ଗେରୋଟି ଖେସ୍ ମଧ୍ୟ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ସେ ବିଧାୟକ ଡ. ପ୍ରଫୁଲ ମାଝିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ନିର୍ବାଚନ ଲଢୁଛନ୍ତି। ଦୁଇ ଥର ବିଧାୟକ ଥିବା ପ୍ରଫୁଲ୍ଲଙ୍କୁ ମଧ୍ୟ ସ୍ଥାନୀୟ ଅଞ୍ଚଳର ଅନେକ ଦଳୀୟ ନେତା ପରୋକ୍ଷ ବିରୋଧ କରୁଛନ୍ତି। ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ବିଜେଡି ଛାଡ଼ି ବିଜେପି ଟିକେଟରେ ଲଢୁଥିବା କୁସୁମ ଟେଟେଙ୍କ ପାଇଁ ଦଳର ସୁନିଲ ସିଂଦେଓ ଅଡୁଆ। ନବାଗତ କୁସୁମଙ୍କୁ ଟିକେଟ୍ ଦିଆଯିବାକୁ ସେ ବିରୋଧ କରି ବିଜେପି ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। କୁସୁମଙ୍କ ବିରୋଧରେ ତାଙ୍କର ପ୍ରଚାର ବିଜେପି ପ୍ରଦର୍ଶନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version