ନୂଆଦିଲ୍ଲୀ ୧୧/୧୨ : ଏଣିକି ଗଣମାଧ୍ୟମଗୁଡ଼ିକ ଦୁଷ୍କର୍ମପୀଡିତାଙ୍କ ନାମ ପ୍ରକାଶ କରିପାରିବେ ନାହିଁ । ସେମାନଙ୍କ ପରିଚୟକୁ ଗୋପନ ରଖାଯିବ । ଫଟୋ ମଧ୍ୟ ପ୍ରକାଶ କରାଯାଇପାରିବ ନାହିଁ । ମଙ୍ଗଳବାର ଦିନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଦୁଷ୍କର୍ମର ଶିକାର ହେବା ପରେ ପୀଡିତାମାନେ ସମାଜରେ ଲାଞ୍ଛନାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ୁଛି । ସେମାନେ ଏକପ୍ରକାର ବାସନ୍ଦ ହୋଇ ରହୁଛନ୍ତି ।
ଏହିପରିପ୍ରେକ୍ଷୀରେ ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ‘ୱାନ୍ ଷ୍ଟପ୍ ସେଣ୍ଟର’ (ଏସ୍ପି) ଖୋଲିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଓଏସ୍ପିରେ ଦୁଷ୍କର୍ମ ସମ୍ବନ୍ଧୀୟ ସମସ୍ତ ମାମଲାର ସମାଧାନ କରାଯିବା ସହିତ ପୀଡ଼ିତାଙ୍କ ଥଇଥାନର ମଧ୍ୟ ବ୍ୟବସ୍ଥା କରାଯିବ । ଦୁଷ୍କର୍ମପୀଡିତାଙ୍କ ପ୍ରତି ସାମ୍ପ୍ରତିକ ସାମାଜିକ ଆଭିମୁଖ୍ୟର ପରିବର୍ତ୍ତନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ମଧ୍ୟ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।