ଶ୍ରୀନଗର ୨୪/୨ : ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏହି କ୍ରମରେ ସୁରକ୍ଷାବଳ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏଥିରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ସୁରକ୍ଷା ଏଜେନ୍ସିଙ୍କୁ କୁଲଗାମର ତୁରିଗାମ ଗାଁରେ ଆତଙ୍କବାଦୀ ଛପି ରହିଥିବାର ସୂଚନା ମିଳିବା ପରେ ସୁରକ୍ଷାବଳ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କୀ ଉକ୍ତ କୋଠାକୁ ଘେରି ଯାଇଥିଲେ ଯେଉଁଥିରେ ଆତଙ୍କବାଦୀ ଛପି ରହିଥିବାର ଇନପୁଟ୍ ମିଳିଥିଲା। କୁହାଯାଉଛି ଯେ ଏ ପର୍ୟ୍ୟନ୍ତ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି। ସୂତ୍ର ମୁତାବକ, ଜାମ୍ମୁ ଓ କାଶ୍ମୀର ପୋଲିସ ସହିତ ସେନାର ଦୁଇ ଜଣ ଯବାନ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଅନ୍ୟ ପଟେ ଶୁକ୍ରବାର ଉତ୍ତର କାଶ୍ମୀରର ବାରାମୂଲା ଜିଲ୍ଲାର ସୋପୋରରେ ସୁରକ୍ଷାବଳ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଅପରେସନରେ ଦୁଇ ଆତଙ୍କବାଦୀକୁ ନିହତ କରିଥିଲେ। ମୃତକ ଆତଙ୍କୀ ପାଖରୁ ଅସ୍ତ୍ର ଶସ୍ତ୍ର ଓ ଗୋଳବାରୁଦ ଜବତ କରାଯାଇଥିଲା।ଉଲ୍ଲେଖଯୋଗ୍ୟ ପୁଲଓ୍ଵାମା ହମଲା ପରଠୁ ସୁରକ୍ଷାବଳ ଘାଟିରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନକୁ ଜୋରଦାର କରିଛନ୍ତି। ନିକଟରେ ସୁରକ୍ଷାବଳ ବଡ଼ ସଫଳତା ହାସଲ କରି ଜୈସ ଇ ମହମ୍ମଦର ଆତଙ୍କୀ ଗାଜି ରାସିଦ ଓରଫ କାମରାନକୁ ନିହତ କରିଥିଲେ। ଜୈସ ଆତଙ୍କୀ ଗାଜି ଫେବୃଆରୀ ୧୪ ପୁଲଓ୍ଵାମା ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ଥିଲା।