Connect with us

ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଫ୍ ଏଜୁକେସନାଲ ଏଣ୍ଡ ଚେରିଟେବୁଲ୍ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଜୟଦେବ ଭବନ, ଭୁବନେଶ୍ୱରଠାରେ ୧୧ତମ ବାର୍ଷିକ ଉତ୍ସବ ଓ ସୂର୍ଯ୍ୟକ୍ଷେତ୍ର ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନ ତରଫରୁ ଚିତ୍ରାଙ୍କନ, ରାଇମ୍ସ, ବକ୍ତୃତା, ନୃତ୍ୟ ଓ ଫ୍ୟାଶନ ଶୋ ପ୍ରତିଯୋଗିତା କରି ପିଲାମାନଙ୍କ ମଧ୍ୟରେ ଉତ୍ସାହ ବଢାଉ ଥିବାରୁ ସେ ଏହାକୁ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଯୋଗ ଦେଇ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରି ସେଥିରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ୍ କରୁଥିବାରୁ ସେମାନଙ୍କର ମାନସିକସ୍ତରରେ ଦକ୍ଷତା ବୃଦ୍ଧି ପାଉଛି ଓ ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏହିଭଳି ପ୍ରତିଯୋଗିତାରେ ଭାଗ ନେବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ଆଇଏସ୍ଏସ୍ ଅକ୍ଷୟ ପାଣି, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଦୁର୍ଲଭ ସିିଂ ଏବଂ ଲାୟନ୍ସ ଇଂ ବିପିନ ବିହାରୀ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିବା ସହିତ ଏହିଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଦକ୍ଷତା ପ୍ରତିପାଦିତ କରିବା ପାଇଁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦିକା ଡ. ସୁକାନ୍ତି ମିଶ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟସ୍ତରର ଶିଶୁ ପ୍ରତିଭାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୧୬ ଜଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ‘ସୂର୍ଯ୍ୟକ୍ଷେତ୍ର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ବିଜ୍ଞାନ ଓ ବୈଷୟିକ ଶିକ୍ଷାଦାନ କ୍ଷେତ୍ରରେ ଅନିଲ୍ ପ୍ରଧାନ, ସିଭିଲ୍ ସର୍ଭିସ ପରୀକ୍ଷା ନିମନ୍ତେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ କରିବା କ୍ଷେତ୍ରରେ ଉକ୍ରର୍ଷତା ପାଇଁ ଅପ୍ଟିପ୍ଲସ ସିିଭିଲ୍ ସର୍ଭିସ କୋଚିଙ୍ଗ ସେଣ୍ଟର, ଲେଖକ ଓ ସ୍ତମ୍ଭକାର ଭାବେ ଭାଗିରଥି ମହାସୁଆର, ମହିଳା ସଶକ୍ତିକରଣ ବିଭାଗରେ ମହିଳାମାନଙ୍କ ଦ୍ୱାରା ପରି•ଳିତ ଦେଶର ଏକମାତ୍ର ପୁସ୍ତକ ମହୋତ୍ସବ କଳିଙ୍ଗ ପୁସ୍ତକ ମେଳାର ସମ୍ପାଦିକା ରେଣୁକା ମିଶ୍ର, ମେଡ଼ିକାଲ ବିଜ୍ଞାନ ବିଭାଗରେ ଯୁବ ଓ ଦକ୍ଷ ଅର୍ଥୋସର୍ଜନ ଡଃ ସନ୍ଦୀପ ବିଶ୍ୱାଳ, ଗଣମାଧ୍ୟମ କ୍ଷେତ୍ରରେ ଦି ଏସିଆନ ଏଜ୍ର ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ସାହୁ, ସମାଜସେବା ବିଭାଗରେ ଲାୟନ୍ସ କ୍ଲବର ଭୁବନେଶ୍ୱର ସଭାପତି ଲାୟନ ରାମପ୍ରସାଦ ପାତ୍ର, ତପସ୍ୱିନୀ ପଣ୍ଡା, ସୁସ୍ମିତା ମହାନ୍ତି, ବାଳକୃଷ୍ଣ ରାଉତ, କଳା ଓ ଭାସ୍କର୍ଯ୍ୟ ବିଭାଗରେ ପ୍ରତାପ ଜେନା, ଫ୍ୟାଶନ ବିଭାଗରେ ଯୁବ ଓ ପ୍ରତିଭାବାନ ଫ୍ୟାଶନ ନିର୍ଦ୍ଦେଶକ ଜନ ଅଜୟ, ଶିକ୍ଷାଦାନ ନିମନ୍ତେ ଡ. ଲିପିମୟୀ ତ୍ରିପାଠୀ, ଚିତ୍ତରଞ୍ଜନ ପାଢୀ, ସଂସ୍କୃତି ଓ ମନୋରଞ୍ଜନ ନିମନ୍ତେ ପ୍ରୀତିଲତା ରାଓ ଏବଂ ଓଲିଉଡ୍ ଅଭିନେତ୍ରୀ ସୁଶ୍ରୀ ସାଇନି ମହାନ୍ତିଙ୍କୁ ଚଳିତବର୍ଷର ସୂର୍ଯ୍ୟକ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ୩ଜଣ ଅସହାୟ ମହିଳାଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯିବା ସହ ଦିବ୍ୟାଙ୍ଗ ଯୁବତୀଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ଅସିତ୍ କୁମାର ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ବାଳକୃଷ୍ଣ ରାଉତ, ସଂଗଠକ ମାନସ କୁମାର କାନୁନ୍ଗୋ, ରାମଚନ୍ଦ ମହାନ୍ତି, ଲିଙ୍ଗରାଜ ମହାନ୍ତି, ମୋତିଲାଲ ଦଳାଇ, ମିଲନ କୁମାର ପ୍ରଧାନ ଏବଂ ଲେଖା ମହାନ୍ତି ପ୍ରମୁଖ କର୍ମକର୍ତ୍ତାଙ୍କ ଦ୍ୱାରା ଉକ୍ତ ଉତ୍ସବ ପରି•ଳିତ ହୋଇଥିଲା । କାର୍ଯ୍ୟକ୍ରମକକୁ ଉପସ୍ଥାପନ କରିଥିଲେ କମଲ କିରନ ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ତିନି ଜିଲ୍ଲାରେ ବନ୍ୟା ରିଲିଫ କାର୍ଯ୍ୟ ତଦାରଖ ପାଇଁ ତିନି ଆଇଏଏସ ଅଫିସର ଗଲେ

Published

on

ଭୁବନେଶ୍ୱର : ଓଡିଶା ସରକାର ଆଜି ତିନିଜଣ ଆଇ ଏ ଏସ ଅଫିସରଙ୍କୁ ବନ୍ୟା ରିଲିଫ ଓ ଥଇଥାନ କାର୍ଯ୍ୟ ତଦାରଖ ପାଇଁ ତିନି ବନ୍ୟା ପ୍ଲାବିତ ଜିଲ୍ଳାକୁ ପଠାଇଛନ୍ତି l ଓଏମସିର ଏମଡ଼ି ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, ଓଡିଶା ରାଜ୍ୟ ସିଭିଲ ସପଲାୟୀ ନିଗମ ଏମଡି  କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଏବଂ ରାଜ୍ୟ ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାକୁ ପଠା ଯାଇଛି l

Continue Reading

World

ୟୁଏଇ ଓଡ଼ିଆ ପରିବାର ଦୁବାଇ ରେ ପାଳିଲେ ରଥ ଯାତ୍ରା

Published

on

ଦୁବାଇ : ଏମିରେଟସ ଓଡ଼ିଆ ପରିବାର , ଇୟୁଏଇ ଦ୍ବାରା ଆୟୋଜିତ ଜୁଲାଇ ୧୯ ତାରିଖ ରବିବାର ଦିନ ଦୁବାଇ ର ସ୍ପ୍ରିଙ୍ଗ ଡେଲସ ସ୍କୁଲ ଠାରେ ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷ ଯାତ୍ରା ପର୍ବ ପାଳନ କରାଯାଇଥିଲା।

ଗୁରୁବାର ୧୬ ତାରିଖ ଶ୍ରୀଗୁଣ୍ଡିଚା ଦିନ ଦୁବାଇ ସ୍ଥିତ ନିତାଇ ଗୌର ଆଶ୍ରମ ରେ ମହାପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହୋଇ ଥିଲା । ୧୯ ତାରିଖ ରବିବାର ସମଗ୍ର ଦୁବାଇ ଓ ଇଉନାଇଟେଡ ଆରବ ଏମିରେଟସ ରୁ ୨୦୦୦ ରୁ ଅଧକ ଭକ୍ତ ଯୋଗ ଦାନ କରିଥିଲେ। ସକାଳ 7ଟାରୁ ସୂର୍ଯ୍ୟନାରାୟଣଙ୍କ ପୁଜା ଆରମ୍ଭ ହୋଇ ଦିନ ନଅଟା ରେ ଚାରି ଠାକୁରଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା | ଶ୍ରୀ ଜଗନ୍ନାଥ ଅଷ୍ଟକମ ପାଠ ହେଵା ପରେ ମହାମନ୍ତ୍ର ନାମ ସଂକୀର୍ତନ ଆରମ୍ଭ ହୋଇଥିଲା | ତାପରେ ମଙ୍ଗଳ ଆରତୀ ପରେ ବାଳଭୋଗ ରେ ଖେଚୁଡ଼ି , ଚୁଡା ଘଷା ଓ ଖଜା ଠାକୁରଙ୍କ ନିକଟରେ ଲାଗି କରାଯିବାପରେ ସମସ୍ତଙ୍କୁ ବିତରଣ କରାଯାଇଥିଲା |

ଶହଶହ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି ରେ ଦିନ ୧୦.୪୫ ରେ ଚାରି ଠାକୁରଙ୍କର ଭକ୍ତିମୟ ପରିବେଶରେ ପହଣ୍ଡି ବିଜେ ଆରମ୍ଭ ହୋଇ ଦିନ ୧୨ ଟା ବେଳେ ରଥାରୂଢ ହୋଇଥିଲେ |ଦିନ ୧୨ ଟା ୧୦ ବେଳେ ମଧ୍ୟାହ୍ନ ଧୂପ ରେ ଅନୁଷ୍ଠାନର ମହିଳା ମଣ୍ଡଳୀ ଙ୍କ ଦ୍ୱାରା ପ୍ରସ୍ତୁତ 56 ଭୋଗ ଲାଗି ହେବା ପରେ ଓଡିଶୀ ନୃତ୍ୟ ଶୀଳ୍ପୀ ମାନେ ଓଡିଶୀ ଛନ୍ଦରେ ଗୀତ ଗୋବିନ୍ଦ ଓ ଦେବଦାସୀ ନୃତ୍ୟ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ପରିବେଷଣ କରିଥିଲେ। ତାପରେ ଛେରା ପହଁରା ନୀତି ସରିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଟଣା ହରିବୋଲ ହୁଳହୁଳି ଶଂଖ ଧ୍ବନି ଘଣ୍ଟ ଘଣ୍ଟା ସଂକୀର୍ତ୍ତନ ସହିତ ଖୁବ ଜାକଜମକ ରେ ଆରମ୍ଭ ହୋଇଥିଲା। ଦିନ 2ଟା ବେଳେ ଆନନ୍ଦ ବଜାରରେ ଅବଢ଼ା ପ୍ରସାଦ ଆରମ୍ଭ ହୋଇଥିଲା ପ୍ରସାଦରେ ସୁସ୍ୱାଦୁ କାନିକା, ଅନ୍ନ , ମିଠା ଡାଲି,ପୋଟଳ ରସା ,ଶାଗ ମୁଗ , ଘାଣ୍ଟ, ଆମ୍ବ ଖଟା, ଖିରି , ପରିବେଷଣ କରାଯାଇଥିଲା ।

ପ୍ରସାଦ ତିଆରି କରିବା ପାଇଁ ସୁଦୂର ଭୁବନେଶ୍ୱର ପାତ୍ର କ୍ୟାଟେରେର ମାଲିକ ରବୀନ୍ଦ୍ର କୁମାର ପାତ୍ର ଙ୍କ ସହିତ ତିନିଜଣ ପୂଜାରୀ ଆସିଥିଲେ |

ଅପରାହ୍ନ ୨ ଟା ପରେ ଅନୁଷ୍ଠାନର କଣ୍ଠ ଶିଳ୍ପୀମାନେ ସୁନ୍ଦର ପାରମ୍ପରିକ ଭଜନ ଜଣାଣ ପରିବେଷଣ କରିଥିଲେ | ସଂଧ୍ୟା ଧୂପ ରେ ରସଗୋଲା ଭୋଗ ଲାଗିବା ପରେ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇ ମହାପ୍ରଭୁ ମାଉସୀ ମା ଘରକୁ ଯାଇଥିଲେ । ଏମିରେଟସ ଓଡ଼ିଆ ପରିବାର ର ସମସ୍ତ କର୍ମକର୍ତ୍ତାମାନେ ସମସ୍ତ ଓଡ଼ିଆ ଭାଇଭଉଣୀମାନଙ୍କୁ ଓ ଭକ୍ତମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

 

Continue Reading

Nation

ଅନ୍ତର୍ଜାତୀୟ ଜଳସୀମାରେ ଏବେ ଟୁନା ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ: ମିଳିଲା ଅନୁମୋଦନ ପତ୍ରର

Published

on

ଭୁବନେଶ୍ୱର :  ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ୍ ଆଜି ଏଠାରେ ମୁକ୍ତ ସମୁଦ୍ରରେ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର (LoA)’ର ଜାତୀୟ ଶୁଭାରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରି ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବିରାଟ ସୁଯୋଗ ଆଣିଦେବ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ।

ଏହି ପବିତ୍ର ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (NCEL) ସମେତ ବିଭିନ୍ନ ପ୍ରମୁଖ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜର ମାଲିକମାନଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ବଣ୍ଟନ କରାଯାଇଛି, ଯାହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ-ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ।

 

ଶ୍ରୀ ରାଧାକୃଷ୍ଣନ୍ ଏହି ଜାତୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରାଧିକରଣ ପତ୍ର (LoA) ପ୍ରଦାନ କରିଥିଲେ। ଏହି ଅନୁମୋଦନ ପତ୍ର ପାଇଥିବା ସଂସ୍ଥା ଓ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଓଡ଼ିଶାର ପାରାଦୀପ ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ଉପକୂଳ ଅଞ୍ଚଳରୁ ଆସିଥିବା ସାମୁଦ୍ରିକ ସମବାୟ ସମିତିର ପ୍ରତିନିଧିମାନେ ସାମିଲ ଥିଲେ।

ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି ଯେ, ଭାରତର ଦୀର୍ଘ ଉପକୂଳ ଏବଂ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ଦେଶର ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କୁ ଜୀବିକା ପ୍ରଦାନ କରୁଛି। ଏହି LoA କାର୍ଯ୍ୟକ୍ରମ ଦ୍ୱାରା ଦେଶର ମତ୍ସ୍ୟଜୀବୀ ପରିବାର ଗୁଡିକ ସ୍ୱଚ୍ଛଳ ଓ ସମୃଦ୍ଧ ହୋଇପାରିବେ। ଓଡିଶା ଭଳି ରାଜ୍ୟ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ ବୋଲି ସେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  କହିଥିଲେ, ଆମ ସମୁଦ୍ର କେବଳ ଭୌଗୋଳିକ ସୀମା ନୁହେଁ, ବରଂ ରାଜ୍ୟର ୬ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନରେଖା ଓ ପରିଚୟ ଅଟେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ବର୍ଷ ଡିସେମ୍ବର ୨୦୨୫ରେ ଗୁଜରାଟର ଭେରାଭଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ରେ ମାଛ ଧରିବା ପାଇଁ ‘ଆକ୍ସେସ୍ ପାସ୍’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ଦେଶର ୫ ହଜାର ମତ୍ସ୍ୟଜୀବୀ ଏହି ପାସ୍ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ୮୬୬ ଜଣ ଅଛନ୍ତି।

ସେ କହିଥିଲେ ଯେ, ବର୍ତ୍ତମାନ ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବା ପାଇଁ ପ୍ରାଧିକରଣ ପତ୍ର (LoA) ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରାରମ୍ଭିକ ଭାବେ ଓଡିଶାର ୮ ଜଣ ମତ୍ସ୍ୟଜୀବୀଙ୍କୁ ଏହି LoA ପ୍ରଦାନ କରାଯିବା ସହ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଅଧୀନରେ ଭାରତୀୟ EEZ ଅଞ୍ଚଳରେ ମାଛ ଧରିବା ପାଇଁ ୨ଟି ଗଭୀର ସମୁଦ୍ର ମାଛଧରା ଜାହାଜ (DSFV) କୁ ମଧ୍ୟ ‘ଗୋ-ଆହେଡ୍‌’ ଅନୁମତି ଜାରି କରାଯାଇଛି। ଦେଶର ସମଗ୍ର ଉପକୂଳର ୨୪ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରରେ (EEZ) ଆମ ମତ୍ସ୍ୟଜୀବୀଙ୍କ ପାଇଁ ଏହା ବିପୁଳ ସୁଯୋଗ ଆଣିଦେବ।

 ଆଗାମୀ ୧୦ ବର୍ଷ ମଧ୍ୟରେ ସମୁଦ୍ରରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ ୫୦୦ଟି ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି ।

 

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ,  ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି, ତାହା ଜାରି ରହିଲେ ଓଡିଶା ଖୁବ୍ ଶୀଘ୍ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ଗଭୀର ସମୁଦ୍ରରେ ମାଛ ଉତ୍ପାଦନ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଓଡିଶା ପାଇଁ ଖୁବ୍ ସହାୟକ ହେବ ବୋଲି ସେ ମତ ଦେଇଥିଲେ।

ମତ୍ସ୍ୟ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ  କହିଥିଲେ ଯେ ଗଭୀର ସମୁଦ୍ରର ବିପୁଳ ସାମୁଦ୍ରିକ ସମ୍ପଦର ସ୍ଥାୟୀ ଓ ସୁନିୟୋଜିତ ବ୍ୟବହାର ପାଇଁ ଆମେ ବ୍ୟାପକ ସହାୟକ ନୀତିଗତ ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ କରିଛୁ।

ଏହି ଜାତୀୟସ୍ତରର ସମାରୋହରେ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଭାରତ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଡକ୍ଟର ଅଭିଲାଖ୍ ଲିଖୀ ପ୍ରମୁଖ ଉପସ୍ଥିତ ଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions