ରାଜନୀତି

ସୂର୍ଯ୍ୟଙ୍କ ଚାଲେଞ୍ଜ : କମ ଦାମରେ ଧାନ ବିକ୍ରି ହେଉଥିଲେ ରାଜନୀତି ଛାଡ଼ିବି

Published

on

ଭୁବନେଶ୍ୱର ୧୧/୧ : ମଣ୍ଡିରେ ଚାଷୀମାନେ କମ ଦାମରେ ଧାନ ବିକ୍ରି କରୁଥିବା ଅଭିଯୋଗକୁ ରାଜ୍ୟ ସମବାୟ ଯୋଗାଣ ମନ୍ତ୍ରୀ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ସେ ବିରୋଧୀଙ୍କୁ ଚାଲେଞ୍ଜ କରି କହିଛନ୍ତି ଯେ, ମଣ୍ଡିରେ ଯଦି ନିର୍ଦ୍ଧାରିତ ଦରରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବା ପ୍ରମାଣିତ ହୁଏ, ତେବେ ସେ ରାଜନୀତି ଛାଡ଼ିଦେବେ । ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଧାନ ସଂଗ୍ରହ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ମଣ୍ଡିରେ କ୍ୱିଣ୍ଟାଲ ପିଛା ଧାନ ଦର ୧୭୫୦ ଟଙ୍କା ଥିବାବେଳେ ଚାଷୀମାନେ ସେହି ଦର ପାଉନଥିବା ଅଭିଯୋଗ କରି ବିଜେପି ୮ ତାରିଖରେ ସଚିବାଳୟ ଘେରାଉ କରିଥିଲା । ଏହି ଅଭିଯୋଗ ମିଥ୍ୟା ବୋଲି ଦର୍ଶାଇ ଶ୍ରୀ ପାତ୍ର କହିଛନ୍ତି ଯେ, ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିକ୍ରିର ୨୪ ରୁ ୭୨ ଘଣ୍ଟା ମଧ୍ୟରେ ଅର୍ଥ ହସ୍ତାନ୍ତର କରାଯାଉଛି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଦେଖିଲେ ତାଙ୍କ କଥାର ସତ୍ୟତା ପ୍ରମାଣିତ ହେବ ବୋଲି ସେ ଦୃଢ଼ ଯୁକ୍ତି ବାଢ଼ିଛନ୍ତି । ଅପରପକ୍ଷରେ ଯୋଗାଣମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ମନ୍ତ୍ରୀ ସମ୍ପୂର୍ଣ୍ଣ ମିଛ କହୁଛନ୍ତି । ମନ୍ତ୍ରୀଙ୍କ ଏ ପ୍ରକାର ଜବାବ ଚାଷୀଙ୍କ କଟା ଘା’ରେ ଚୂନ ଦେବା ଭଳି ପ୍ରତୀୟମାନ ହେଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version