ରାଜ୍ୟ

ସୋନି ସପକ୍ଷରେ ଏନ୍ସିଏଲ୍ଟି ରାୟ : ସଙ୍କଟରେ ଓରଟେଲ୍

Published

on

ଭୁବନେଶ୍ୱର ୪/୧୨ : ସମ୍ପ୍ରତି ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଓରଟେଲ୍ କମ୍ୟୁନିକେଶନର ସଙ୍କଟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ପୂର୍ବରୁ ଟେଲିକମ୍ ଡିସ୍ପ୍ୟୁଟ୍ସ ସେଟେଲ୍ମେଣ୍ଟ ଆଣ୍ଡ ଆପିଲେଟ୍ ଟ୍ରିବ୍ୟୁନାଲ୍ ଗତ ଜୁନ୍ ମାସରେ ସୋନି ବିରୁଦ୍ଧରେ ଓରଟେଲ୍ର ଏକ ଆବେଦନକୁ ଅଗ୍ରାହ୍ୟ କରିଦେବାପରେ ଏହି କମ୍ପାନୀ ବଡ଼ ଧରଣର ସମସ୍ୟାର ସମ୍ମୁଖୀନ ହୋଇଥିଲା । ଏବେ ସୋନିର ଆବେଦନ କ୍ରମେ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ ଏନ୍ସିଏଲ୍ଟି ଓରଟେଲ୍ ବିରୁଦ୍ଧରେ କର୍ପୋରେଟ୍ ଇନ୍ସଲ୍ଭେନ୍ସି ରିଜୋଲ୍ୟୁସନ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଓରଟେଲ୍ ଗୁରୁତର ସଙ୍କଟରେ ପଡ଼ିଯାଇଛି । କମ୍ପାନୀ ପୂରା ଦେବାଳିଆ ଅବସ୍ଥାକୁ ଆସିଯାଇପାରେ । ଏନ୍ସିଏଲ୍ଟି ଇନ୍ସଲ୍ଭେନ୍ସି ରିଜୋଲ୍ୟୁସନ୍ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେବା ସହ ଅନିଲ ଭାଟିଆଙ୍କୁ ଇଣ୍ଟେରିମ୍ ଇନ୍ସଲ୍ଭେନ୍ସି ପ୍ରଫେସନାଲ୍ (ଆଇପି) ଭାବେ ନିଯୁକ୍ତି ଦେଇଛନ୍ତି । ଏନ୍ସିଏଲ୍ଟିର ନିର୍ଦ୍ଦେଶ ମୁତାବକ ଶ୍ରୀ ଭାଟିଆ ଇତି ମଧ୍ୟରେ ଓରଟେଲ୍ ଋଣଦାତାଙ୍କ ନିମନ୍ତେ ସର୍ବସାଧାରଣ ନୋଟିସ୍ ଜାରି କରିଛନ୍ତି ।
ଋଣଦାତାମାନଙ୍କୁ ସେମାନଙ୍କ ଅର୍ଥ ପଇଠ ନ କରିବା ଓ ପ୍ରତିଶ୍ରୁତି ଖିଲାପ କରିବା ନେଇ ଓରଟେଲ୍ ବିରୁଦ୍ଧରେ କ୍ରମାଗତ ଅଭିଯୋଗ ହୋଇ ଆସୁଥିଲା । ସୋନି ପିକ୍ଚର୍ସ ନେଟ୍ୱାର୍କ୍ସ (ଭାରତ) ପ୍ରାଇଭେଟ୍ ଲିମିଟେଡ୍କୁ ଓରଟେଲ୍ ୧୨ କାଟି ଟଙ୍କାର ପ୍ରାପ୍ୟ ଦେଇନଥିବା ନେଇ ସୋନି ଏନ୍ସିଏଲ୍ଟିଙ୍କ ନିକଟରେ ଅଭିଯୋଗ କରିବା ପରେ ଏନ୍ସିଏଲ୍ଟିଙ୍କ ପକ୍ଷରୁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଓରଟେଲ୍ ନିକଟରୁ ସୋନି ୧୨ କୋଟି ଟଙ୍କାର ପ୍ରାପ୍ୟ ବାକିଥିବା କହିଥିବା ବେଳେ ଓରଟେଲ୍ ତାହାକୁ ଖଣ୍ଡନ କରି କହିଛି ଯେ, ୧୨ କୋଟି ନୁହେଁ ପ୍ରାୟ ୭ କୋଟି ଟଙ୍କା ବାକି ଅଛି ।

ଓରଟେଲ୍ ବିରୋଧରେ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସୀ କୋଡ୍,୨୦୧୬ର ଧାରା ୬ ଅନୁଯାୟୀ କର୍ପୋରେଟ୍ ଇନସଲଭେନ୍ସି ରିଜୋଲ୍ୟୁସନ୍ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬ ମାସ ମଧ୍ୟରେ (୨୬.୦୫.୨୦୧୯) ପ୍ରକ୍ରିୟା ଶେଷ ହେବ । ଅନ୍ତରୀଣ ରିଜୋଲ୍ୟୁସନ୍ ପ୍ରଫେସନାଲ୍ (ଆଇଆରପି) ଭାବେ ଅନୀଲ ଭାଟିଆଙ୍କୁ ନିଯୁକ୍ତି ଦିଆଯାଇଛି ।ଗତ ୨୭ ତାରିଖରେ ଓରଟେଲ୍ ପାଖରେ ନିର୍ଦ୍ଦେଶ ହସ୍ତଗତ ହେବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀ ଭାଟିଆ ଅରଟେଲ କମ୍ୟୁନିକେସନ୍ ର ସମସ୍ତ ଋଣଦାତା(କ୍ରେଡିଟର୍) ମାନଙ୍କ ନିମନ୍ତେ ବିଜ୍ଞାପନ ଜରିଆରେ ଘୋଷଣା ଜାରି କରିଛନ୍ତି । ଓରଟେଲ୍ କମ୍ୟୁନିକେସନ୍ ର କ୍ରେଡିଟର୍ ମାନେ ସେମାନଙ୍କ ଦାବି ଡିସେମ୍ବର ୧୧ ତାରିଖ ସୁଦ୍ଧା ଅନ୍ତରୀଣ ରିଜୋଲ୍ୟୁସନ୍ ପ୍ରଫେସନାଲ୍ ଙ୍କ ପାଖରେ ଦାଖଲ କରିବାକୁ ଏଥିରେ କୁହାଯାଇଛି ।
ନିୟମ ଅନୁଯାୟୀ ଆଇଆରପିଙ୍କ ଦ୍ୱାରା ନିଯୁକ୍ତ କ୍ରେଡିଟର୍ସ କମିଟି କମ୍ପାନୀର ଆର୍ଥିକ ସ୍ଥିତି ଓ ବିଭିନ୍ନ ଦିଗ ଉପରେ ପୁଙ୍ଗାନୁପୁଙ୍ଖ ତର୍ଜମା କରି ରିଜୋଲ୍ୟୁସନ୍ ପ୍ଲାନ୍ ପ୍ରସ୍ତୁତ କରିବେ । ଏହି ପ୍ରକ୍ରିୟାର ଫଳାଫଳରେ ଅରଟେଲ୍ କମ୍ପାନୀକୁ ଜୀବନ୍ତ ରଖି ପୁର୍ନଗଠନ ଜରିଆରେ ବକେୟା ହିସାବନିକାଶ କରାଯିବ ନଚେତ୍ କମ୍ପାନୀର ସମସ୍ତ ସମ୍ପତ୍ତି ବିକ୍ରୀ କରାଯାଇ ଦେୟ ପରିଶୋଧ କରାଯିବ । ତେବେ ଅରଟେଲ୍ ର ଯାହା ସ୍ଥିତି ସେଥିରେ ଯେ କମ୍ପାନୀର ପୁର୍ନଗଠନ କରାଯାଇ ଆର୍ଥିକ ସ୍ଥିତି ସଜଡ଼ାଯିବ ତାହା ସମ୍ଭବ ମନେହେଉନି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସୁତରାଂ କମ୍ପାନୀର ଲିକ୍ୟୁଡେସନ୍ ହିଁ ଏକମାତ୍ର ରାସ୍ତା ବୋଲି ସେମାନେ କହିଛନ୍ତି । ଅତୀତରେ ଭୂଷଣ କମ୍ପାନୀକୁ ଏଭଳି ଦଶା ଭୋଗିବାକୁ ପଡ଼ୁଥିଲା । ଦେବାଳିଆ ହୋଇଥିବା କମ୍ପାନୀର ଭାଗ୍ୟ ନ୍ୟାସନାଲ୍ ଲ’ ଟ୍ରିବ୍ୟୁନାଲ୍ କୋର୍ଟକୁ ଯାଇଥିଲା । ଯାହାର ପରିଣାମ ହେଲା ଭୂଷଣରେ ତାଲା । ଓରଟେଲ୍ କ୍ଷେତ୍ରରେ ସମ୍ଭବତଃ ସେୟା ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version