ରାଜନୀତି

ସୋମବାର ବିସ୍ଥାପିତ ସଚେତନ ମଂଚର ଗଣ ବିକ୍ଷୋଭ

Published

on

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବିସ୍ଥାପିତମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ସୁଯୋଗ, ସିଏସ୍ଆର ଅର୍ଥ ୨୦ ପ୍ରତିଶତକୁ ବୃଦ୍ଧି ଏବଂ ଓଡ଼ିଶାର କୋଇଲା ଓଡ଼ିଶା ଶିଳ୍ପରେ ବିନିଯୋଗ ଆଦି ତିନୋଟି ଦାବି ନେଇ ବିସ୍ଥାପିତ ସଚେତନ ମଂଚ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ଗଣ ବିକ୍ଷୋଭ କରିବ ବୋଲି ମଂଚର ଆବାହକ ନବ କିଶୋର ଦାସ ସୂଚନା ଦେଇଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଦାସ କହିଛନ୍ତି ଯେ, ଦିନ ୧୧ଟା ବେଳେ ଲୋୟରପିଏମ୍ଜିରେ ଗଣ ବିକ୍ଷୋଭ କରାଯିବା ସଙ୍ଗେସଙ୍ଗେ ମୁଖ୍ୟମନ୍ତ୍ରୀ ତିନି ଦଫା ଦାବି ସମ୍ବଳିତ ଏକ ସ୍ମାରକୀ ପତ୍ର ପ୍ରଦାନ କରାଯିବ । ଏହି ଦାବିଗୁଡ଼ିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ପୂର୍ଣ୍ଣାଙ୍ଗ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ପାଇଁ ସମିତି ପକ୍ଷରୁ ଦାବି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଲୋକମାନେ ପ୍ରଥମେ ହିରାକୁଦ ନଦୀବନ୍ଧ ଯୋଜନା ଏବଂ ପରେ ମହାନଦୀ କୋଇଲା କମ୍ପାନୀର ଖଣି ଓ ବିଭିନ୍ନ କଳକାରଖାନା ଯୋଗୁଁ ବିସ୍ଥାପିତ ହୋଇ ଆସୁଛନ୍ତି । ବର୍ତମାନ କଳକାରଖାନାଗୁଡ଼ିକ ବନ୍ଦ ହୋଇ ଯିବାରୁ ସେମାନଙ୍କର ଜୀବିକା ବିପନ୍ନ ହୋଇପଡ଼ିଛି । ଓଡ଼ିଶାରେ ପ୍ରଚୁର ପରିମାଣରେ କୋଇଲା ଥିବା ସତ୍ୱେ କୋଇଲା ଅଭାବରୁ କଳ କାରଖାନା ବନ୍ଦ ହେବା କ୍ଷୋଭର ବିଷୟ । ଏହି କାରଣରୁ ଓଡ଼ିଶାର କୋଇଲା ଓଡ଼ିଶାର ଶିଳ୍ପରେ ବିନିଯୋଗ, କମ୍ପାନୀଗୁଡ଼ିକ ସିଏସ୍ଆର ଅର୍ଥ ୨ ପ୍ରତିଶତ ପରିବର୍ତେ ୨୦ ପ୍ରତିଶତ ଖର୍ଚ୍ଚ କରିବା ଓ ବିସ୍ଥାପିତମାନଙ୍କୁ ଅଗ୍ରାଧିକାର ଭିତିରେ ଚାକିରି ଦେବା ଦାବି କରି ଏହି ଗଣ ବିକ୍ଷୋଭ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version