ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ସ୍ମାର୍ଟ ଫୋନ ବାଣ୍ଟିବା ଆରମ୍ଭ କରିଛନ୍ତି।
ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟ ଫୋନ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।
” ମୁଁ ଘୋଷଣା କରୁଛି ଯେ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟ ମୋବାଇଲ ଫୋନ ଯୋଗାଇଦେବେ। ଆଜି ଆପଣଙ୍କ ଅଞ୍ଚଳ ରେ ମୋବାଇଲ ଫୋନ ବଣ୍ଟନ କାମ ଆରମ୍ଭ କରି ମୁଁ ବହୁତ ଖୁସି।”
“ଏହା ଆପଣମାନକୁ ଆହୁରି ଭଲ ଭାବରେ ଅନ୍ୟ ଅଞ୍ଚଳ ସହ ଯୋଡିପାରିବ । ପିଲାମାନଙ୍କ ପାଠ ପଢାରେ ବି ସୁବିଧା ହେବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଥିବା ବେଳେ 4G ସୁବିଧା ସହ ଆଉ ତିନୋଟି ଟାୱାର କରିବାକୁ ରାଜ୍ୟ ସରକାରଙ୍କର ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ଭାରତ ଇଂଫ୍ରାଟେଡ଼କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସେତୁ ଯୋଜନାରେ ୨୧୫ କୋଟି ଟଙ୍କାର କାର୍ଯ୍ୟ ହାତକୁ ନେଇଛନ୍ତି।
ଏଥିରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ବାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି ।
ମିଶନ ଶକ୍ତିର ମା ମାନଙ୍କ ପାଇଁ ଶିକ୍ଷଣୀୟ ଭ୍ରମଣର କରାଯାଇଛି ।
ସ୍ବାଭିମାନ ଅଞ୍ଚଳରେ ଭଲ ହଳଦୀ ଚାଷ କରାଯାଏ । ଏହାର ମଧ୍ୟ ବହୁତ ଆଦର ରହିଛି । ତେଣୁ ସ୍ବାଭିମାନ ଅଞ୍ଚଳରେ ଅଧିକ ହଳଦୀ ଚାଷ ସହିତ ପ୍ରକ୍ରିୟାକରଣ ଏବଂ ବ୍ରାଣ୍ଡିଙ୍ଗ ପାଇଁ ପଦକ୍ଷେପ ନିଆଯାଇଛି ।
ବିଜୁଳି ସେବା ପାଇଁ ୩୩ x ୧୧ କେଭି ସବ ଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବ ଏବଂ ୧୧ କେଭି ଫେଜ ଲାଇନ କନେକ୍ସନ ଦିଆଯିବ।
ଗାଁ ଗାଁ ରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ୭୫ କିମି ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଭଲ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି ଏବଂ ୨୫୦ଟି ନଳକୂପ କାମ ଶେଷ ହୋଇଛି ।
ରାଜ୍ୟ ସରକାର ୩୨ କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ ୪୩ଟି ଉଠ। ଜଳ ସେଚନ ପ୍ରକଳ୍ପ ଏବଂ ୪୧୯ ଟି ଗୋଷ୍ଠୀ ଗଭୀର ନଳକୂପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏହାଦ୍ବାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଓବାଦୀମନକୁ ହିଂସା ଛାଡି ମୁଖ୍ୟଧାରାକୁ ଫେରି ଆସି ବିକାଶ କାମରେ ସରକାରଙ୍କୁ ସହଯୋଗ କରିବକୁ ନିବେଦନ କରିଥିଲେ।