Nation

ୟାସ ବାତ୍ୟାର ପ୍ରଭାବ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ବୈଠକ

Published

on

ଭୁବନେଶ୍ୱର: ୟାସ ବାତ୍ୟାର ପ୍ରଭାବ ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି, କ୍ଷୟକ୍ଷତି ଆକଳନ ଏବଂ ତତ୍ ସଂକ୍ରାନ୍ତ ବିଷୟର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ଓଡ଼ିଶା ଓ ପଶ୍ଚିମବଙ୍ଗରେ 46ଟି ଲେଖାଏଁ ଦଳ ସହିତ ଏନଡିଆରଏଫର ମୋଟ ୧୦୬ ଟି ଦଳ ନିୟୋଜିତ କରାଯାଇଥିଲା। ଏମାନେ ଏକ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ସହିତ ରାସ୍ତା ଅବରୋଧ କରିଥିବା ୨୫୦୦ ଗଛ/ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ପଦକ୍ଷେପ ନେଇଥିଲେ। ସ୍ଥଳ ସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ଅସହାୟ ଲୋକମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନୌସେନା ଓ ବାୟୁସେନାକୁ ସଜାଗ ରଖାଯାଇଥିଲା।

ୟାସ ବାତ୍ୟା ଯିବା ପରେ ରାଜ୍ୟଗୁଡ଼ିକ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ କରାଯାଇଛି। ପ୍ରାଥମିକ ରିପୋର୍ଟରୁ ଯାହା ଜଣାଯାଇଛି, ସଠିକ୍ ପୂର୍ବାନୁମାନ, ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ପ୍ରଭାବୀ ଢଙ୍ଗରେ ସୂଚୀତ କରିବା ଓ ଠିକଣା ସମୟରେ ଉଦ୍ଧାର କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରୀ ଏଜେନ୍ସିଗୁଡ଼ିକ ସୁନିଶ୍ଚିତ ପଦକ୍ଷେପ ନେବା କାରଣରୁ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖାଯାଇପାରିଛି। ତେବେ, ବନ୍ୟା କାରଣରୁ, କ୍ଷୟକ୍ଷତି ହୋଇଛି, ଯାହାକୁ ଏବେ ଆକଳନ କରାଯାଉଛି। ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ଟେଲିଯୋଗାଯୋଗ ସେବାକୁ ସ୍ବାଭାବିକ କରାଯାଇପାରିଛି।

ବାତ୍ୟା ଯୋଗୁ ଦେଖାଦେଇଥିବା ଆହ୍ବାନର ମୁକାବିଲା କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରୀ ଏଜେନ୍ସିଗୁଡ଼ିକ ପ୍ରଭାବୀ ଓ ସକ୍ରିୟ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ତେବେ ପ୍ରଭାବିତ ଅଞ୍ଚଳରେ ସାଧାରଣ ଜନଜୀବନକୁ ସ୍ବାଭବିକ କରିବା ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ପରାମର୍ଶ ଦେଇଥିଲେ। ସେହିପରି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଉପଯୁକ୍ତ ଭାବେ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଶକ୍ତି ସଚିବ, ଟେଲି ଯୋଗାଯୋଗ ସଚିବ, ଆଇଏମଡି ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version