ଭୁବନେଶ୍ବର : ରାଜ୍ୟର ପ୍ରାୟ ୧୦ ହଜାର ଗାଁକୁ ସବୁଦିନିଆ ସଡ଼କ ସ˚ଯୋଗ ନାହିଁ। ସ୍ବାସ୍ଥ୍ୟ ବିଭାଗର ଖବର ଅନୁଯାୟୀ ରାଜ୍ୟର ୭୩୩୨ଟି ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଏହି ଗାଁଗୁଡ଼ିକୁ ଅପହଞ୍ଚ ଇଲାକା ଭାବେ ଚିହ୍ନଟ କରାଯାଇଛି। ତେବେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଉଛି ସେଥିରେ ତାଳମେଳ ରହୁନଥିବାରୁ ବାସ୍ତବରେ କେତେ ଗାଁକୁ ରାସ୍ତା ନାହିଁ ସେ ସ˚କ୍ରାନ୍ତ ପ୍ରକୃତ ଚିତ୍ର ମିଳିପାରୁନାହିଁ। ବିଧାନସଭାରେ ବିଭିନ୍ନ ବିଭାଗକୁ ପ୍ରଶ୍ନ ପଚାରି ବିଧାୟକ ଦିଲିପ ରାୟ ଏଭଳି ତଥ୍ୟ ହାସଲ କରିଛନ୍ତି।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ତଥ୍ୟ ଅନୁଯାୟୀ, ୨୦୦୦-୦୧ ବର୍ଷର ହିସାବ ଅନୁଯାୟୀ ୨୦୦୦ ଡିସେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆରମ୍ଭ ହେବା ବେଳକୁ ରାଜ୍ୟର ସମୁଦାୟ ୫୦,୧୮୯ଟି ଗାଁ ମଧ୍ୟରୁ ୨୦,୪୩୮ଟି ଗାଁକୁ ସବୁଦିନିଆ ରାସ୍ତା ଥିଲା। ୨୯,୭୫୧ଟି ଗାଁକୁ ରାସ୍ତା ନ ଥିଲା। ଏଥିମଧ୍ୟରୁ ବର୍ତମାନ ସୁଦ୍ଧା ୧୪,୭୫୨ଟି ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସଡ଼କ ସ˚ଯୋଗ କରାଯାଇଛି। ଏହି ହିସାବ ଅନୁଯାୟୀ ଆଉ ୧୪,୯୯୯ଟି ଗାଁକୁ ସଡ଼କ ନ ଥିଲା। ତେବେ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ୧୩୦୫ଟି ଗାଁକୁ ସବୁଦିନିଆ ରାସ୍ତା ଦ୍ବାରା ସ˚ଯୋଗ କରାଯାଇଛି। ଏହି ହିସାବ ବିଶ୍ଳେଷଣ କଲେ ୧୩,୬୮୪ ଗାଁକୁ ମୋଟାମୋଟି ଭାବେ ରାସ୍ତା ନାହିଁ େବାଲି ଶ୍ରୀ ରାୟ ସୂଚାଇଛନ୍ତି।