ଭୁବନେଶ୍ୱର ୨୯/୧୨ : ରାଜ୍ୟ କଣ୍ଟିଜେନ୍ସି ଫଣ୍ଡ (ଆପାତକାଳୀନ ପାଣ୍ଠି) ୧୬ଶହ କୋଟି ଟଙ୍କାକୁ ବୃଦ୍ଧି କରାଯିବ । ପୂର୍ବରୁ ଏହା ୪ ଶହ କୋଟି ଟଙ୍କା ଥିଲା । ନିକଟରେ ଚାଷୀମାନଙ୍କ ପାଇଁ ସରକାର ଘୋଷଣା କରିଥିବା ‘କାଳିଆ’ ଯୋଜନା ପାଇଁ ଏହି ପାଣ୍ଠିରୁ ଖର୍ଚ୍ଚ କରାଯିବ । ଶନିବାର ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସମେତ ମୋଟ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, କଣ୍ଟିଜେନ୍ସି ଫଣ୍ଡ ପରିମାଣ ବୃଦ୍ଧି ଲାଗି ଅଧ୍ୟାଦେଶ ଅଣାଯିବ ।
କ୍ଷୁଦ୍ର ଚାଷୀଙ୍କ ସହାୟତା ପାଇଁ ଏଗ୍ରିକଲଚର ଫାର୍ମିଂ ଅର୍ଗାନାଇଜେସନ ପଲିସି କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟାପକମାନଙ୍କୁ ନୂଆ ୟୁଜିସି ହାରରେ ଦରମା ପ୍ରଦାନ କରାଯିବ । ୨୦୧୬ ଜାନୁଆରୀରୁ ଏହା ପିଛିଲା ଭାବେ ଲାଗୁ କରାଯିବ । ଏଥିପାଇଁ ଅଧିକ ୧୩୬ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିରେ ୫୨୦୩ ଜଣ ଅଧ୍ୟାପକ-ଅଧ୍ୟାପିକା ଉପକୃତ ହେବେ ।
ସେହିଭଳି ବାଲୁକା କଳା ପାର୍କ ପାଇଁ ବାଙ୍କୀ ମୁହାଣରେ ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ୨.୪ ଏକର ଜମି ଯୋଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ଏମ୍ସ ଟ୍ରେନିଂ ସେଣ୍ଟର ପାଇଁ ଟାଙ୍ଗି ତହସିଲରେ ୨ ଏକର ୪୫ ଡେସିମିଲି ଜାଗା ପ୍ରଦାନ କରାଯିବ । ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ’ର ସଦସ୍ୟ ଭାବେ ଡ. ନମିତା ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ନିଯୁକ୍ତିକୁ କ୍ୟାବିନେଟ ଅନୁମୋଦନ କରିଛି ।
ଓଡ଼ିଶା ଅଧସ୍ତନ ବନ ସେବା ଆଇନ ୧୯୯୮ ସ୍ଥାନରେ ଓଡ଼ିଶା ଅଧସ୍ତନ ବନସେବା ସଂଶୋଧିତ ଆଇନ ୨୦୧୮ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର ହୋଇଛି । ଯୋଗାଣ ଆଇନରେ ମଧ୍ୟ ସଂଶୋଧନ ଲାଗି ନିଷ୍ପତ୍ତି ନଆଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଘରୋଇ ଡିଲରଙ୍କ ଅବଧି ବୃଦ୍ଧି କରାଯିବ । ଯୋଗାଣ ନିରୀକ୍ଷକଙ୍କ ପାଇଁ ଆକାଉଣ୍ଟସ ଓ ଆଇନ ପରୀକ୍ଷା ବାଧ୍ୟତାମୂଳକ କରାଯିବ । ଏଥିରେ ପାସ ନ କରିବା ପର୍ଯ୍ୟନ୍ତ ବର୍ଷିକ ବେତନ ବୃଦ୍ଧି କରାଯିବନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ।